ବିପଦ ବେଳେ ବିଷ ବେଉସା । ହିମାଚଳ ପ୍ରଦେଶରେ ତିଆରି ହୋଇ କଟକ ଆସିଥିଲା ନକଲି ଔଷଧ ।

250

କନକ ବ୍ୟୁରୋ: କଟକରେ କିଭଳି ହୋଇଥିଲା ନକଲି ଫାଭିଫିରାଭିର୍ ଔଷଧର କାରବାର ସେନେଇ ବିଶଦ ତଥ୍ୟ ସାମ୍ନାକୁ ଆସିଛି । ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନରୁ ନକଲି ଔଷଧ ଯୋଗାଣ ନେଇ ସୂଚନା ମିଳିବା ପରେ ପଦକ୍ଷେପ ନେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ସୋଲାନରେ ଥିବା ମ୍ୟାକ୍ସ ରିଲିଫ୍ ହେଲଥ କେୟାର ଫାଭିମାକ୍ସ – ୪୦୦ ନାମରେ ନକଲି ଫାଭିପିରାଭିର୍ ଟାବଲେଟ ତିଆରି କରିଥିଲା ।

କଟକର କନିକା ଛକରେ ଥିବା ମେଡିଲଏଡ୍ ମେଡିକାମେଂଟ ପ୍ରାଇଭେଟ ଲିମିଟେଡ୍ ୫୮ ହଜାର ଟାବଲେଟ କିଣିଥିଲା ମ୍ୟାକ୍ସ ରିଲିଫ୍ ହେଲଥ କେୟାରର ଉତ୍ତରପ୍ରଦେଶ ଶାଖାରୁ । ଏହି ସୂଚନା ଆଧାରରେ ଡ୍ରଗ୍ସ ଇନ୍ସପେକ୍ଟର କନିକା ଛକରେ ନକଲି ଔଷଧ କିଣିଥିବା ସଂସ୍ଥା ଉପରେ ଚଢାଉ କରିଥିଲା । ଏହି ସମୟରେ ଜଣାପଡିଥିଲା, କିଣାଯାଇଥିବା ୫୮ ହଜାର ଟାବଲେଟ ମଧ୍ୟରୁ ୪୦ ହଜାର ୬୦୦ ଟାବଲେଟ ମଧ୍ୟପ୍ରଦେଶ ଗ୍ୱାଲିୟରର ମହାଦେବ ମେଡିକାଲ୍ସ ଆଣ୍ଡ ସର୍ଜିକାଲକୁ ଯୋଗାଣ କରାଯାଇଛି । ବଳକା ଟାବଲେଟ ମଧ୍ୟରୁ ୪୦୦ ଟାବଲେଟକୁ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ୧୭ ହଜାର ଟାବଲେଟକୁ ସିଜ୍ କରାଯାଇଛି।

ଯେହେତୁ ବହୁ ପରିମାଣର ନକଲି ଫାଭିପିରାଭିର ଟାବଲେଟ ମଧ୍ୟପ୍ରଦେଶକୁ ଯୋଗାଣ ହୋଇଛି, ତେଣୁ ଏନେଇ ଉକ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଜଣାଇ ଦିଆଯାଇଛି । ବଡ କଥା ହେଉଛି, ସ୍ୱାସ୍ଥ୍ୟ ବିଭାଗର ଏହି ତଥ୍ୟ ଗୋଟିଏ ଦିଗକୁ ଇଙ୍ଗିତ କରୁଛି ଯେ ରାଜ୍ୟରେ ନକଲି ଫାଭିପିରାଭିର୍ ମେଡିସିନର ଯୋଗାଣ ହୋଇନାହିଁ । ହେଲେ ଏହାପରେ ଥିବା ତଥ୍ୟ କିନ୍ତୁ ଚିନ୍ତାଜନକ । ହିମାଚଳର ସଂସ୍ଥା ଯିଏ ନକଲି ଫାଭିପିରାଭିର୍ ଟାବଲେଟ ତିଆରି କରିଥିଲା ସେଠାରୁ କଟକ କନିକା ଛକରେ ଥିବା ମେଡିଲଏଡ୍ ମେଡିକାମେଂଟ ପ୍ରାଇଭେଟ ଲିମିଟେଡ୍ ଆଉ ୯ ପ୍ରକାରର ଔଷଧ କିଣିଛି । ଏସବୁ ଔଷଧର ଗୁଣାତ୍ମକ ମାନ କେତେ ରହିଛି ତାର ଅନୁଧ୍ୟାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଉକ୍ତ ୯ ପ୍ରକାର ଔଷଧର ସାମ୍ପୁଲ ସଂଗ୍ରହ କରି ଟେଷ୍ଟ ପାଇଁ ପଠାଇବା ସହ ବଳକା ମେଡିସିନ୍କୁ ସିଜ୍ କରିଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିନ୍ତାର କଥା ହେଉଛି, ଏସବୁ ମଧ୍ୟରୁ କିଛି ଔଷଧକୁ ରାଜ୍ୟର କିଛି ଜିଲ୍ଲାକୁ ପଠାଇ ଦିଆଯାଇଛି । କେତେ ପରିମାଣର ଏହି ଔଷଧ ରହିଛି ସେନେଇ ସୁଚନା ନଥିବା ବେଳେ କେତେ ଲୋକ ଏହାକୁ ନେଇ ବ୍ୟବହାର କରିଛନ୍ତି, ତାର ବି ତଥ୍ୟ ମିଳିନାହିଁ । ତେବେ ୧୧ ତାରିଖରେ ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ରାଉରକେଲା, ଏବଂ ଭୁବନେଶ୍ୱରରେ ରେଡ୍ କରାଯାଇ କିଛି ଔଷଧ ସିଜ୍ କରାଯାଇଥିବା ଜଣାପଡିଛି । ଏବେ ମଧ୍ୟ ଚଢାଉ ଜାରି ରହିଥିବା ସୁଚନା ମିଳିଛି । ତଦନ୍ତ ସରିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି ହେଉଥିବା ଜଣାପଡିଛି ।