ହଜ୍ ଯାତ୍ରା ଉପରେ କଟକଣା ଲଗାଇଲା ସାଉଦୀଅରବ । ବାହାର ଦେଶର ଲୋକଙ୍କ ପାଇଁ ମିଳିବନାହିଁ ଅନୁମତି । କେବଳ ୬୦ ହଜାର ସ୍ଥାନୀୟ ଲୋକ କରିପାରିବେ ହଜ୍ ଯାତ୍ରା

169

କନକ ବ୍ୟୁରୋ : ସାଉଦୀଅରବ ପକ୍ଷରୁ କୁହାଯାଇଛି କି, କରୋନା ମହାମାରୀ ପାଇଁ ଚଳିତବର୍ଷ ହଜ୍ ଯାତ୍ରାପାଇଁ କେବଳ ୬୦ ହଜାର ସ୍ଥାନୀୟ ଲୋକଙ୍କ ଅନୁମତି ମିଳିବ । ସରକାରଙ୍କ ଦ୍ୱାରା ପରଚାଳିତ ସାଉଦୀ ପ୍ରେସ ଏଜେନ୍ସି ହଜ୍ ଏବଂ ଓମରା ମନ୍ତ୍ରଣାଳୟ ଏନେଇ ବୟାନ ଜାରି କରିଛି ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ଚଳିତ ବର୍ଷ ହଜ୍ ଯାତ୍ରା ଜୁଲାଇ ମାସ ମଧ୍ୟଭାଗରୁ ଆରମ୍ଭ ହେବ । ଏଥିରେ ୧୮ ରୁ ୬୫ ବର୍ଷର ଲୋକ ଭାଗ ନେଇପାରିବେ । ହଜ୍ ଯାତ୍ରା ପାଇଁ ଇଛୁକ ସ୍ଥାନୀୟ ବ୍ୟକ୍ତି ଟିକା ନେବା ଅର୍ନିବାଯ୍ୟ ବୋଲି କୁହାଯାଇଛି । ସାଉଦୀଅରବ ସରକାର ହଜଯାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଦେଶର ସୁରକ୍ଷା ବାବଦରେ ବିଚାର କରି ଏଭଳି ନିଷ୍ପତ୍ତି ନେଇଛି ।

କହିରଖୁ କି ପ୍ରତିବର୍ଷ ହଜ୍ ଯାତ୍ରାରେ ପାଖା ପାଖି ୨୦ ଲକ୍ଷ ଲୋକଙ୍କର ସମାଗମ ଦେଖିବାକୁ ମିଳିଥାଏ । ଏନେଇ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି ହଜ୍ ଯାତ୍ରାକୁ ନେଇ ଜାରି ହୋଇଥିବା ନିର୍ଦ୍ଦେଶକୁ ନେଇ କହିଛନ୍ତି କି ହଜ୍ ଯାତ୍ରାକୁ ନେଇ ସାଉଦୀଅରବ ସରକାର ଯାହା ନିଷ୍ପତ୍ତି କରିବେ ତାହା ସହ ଭାରତ ସରକାର ସହମତ ହେବେ ।

ସୂଚନା ଥାଉକି ଏହାପୂର୍ବରୁ ସାଉଦୀଅରବ ସରକାର ଘୋଷଣା କରିଥିଲେ କି ଚଳିତବର୍ଷ ସାରା ବିଶ୍ୱରୁ ମାତ୍ର ୬୦ ହଜାର ଲୋକଙ୍କୁ ହଜଯାତ୍ରା ପାଇଁ ଅନୁମତି ମିଳିବ । ସେମାନଙ୍କ ମଧ୍ୟରୁ କେବଳ ସାଉଦୀଅରବ ର ୧୫ ହଜାର ଲୋକ ସାମିଲ ହେବେ ଓ ବାହାର ଦେଶରୁ ୪୫ ହଜାର ଲୋକ ସାମିଲ ହୋଇପାରିବେ । ହେଲେ ଏବେ ସଫା ସଫା ନିର୍ଦ୍ଦେଶ ଜାରି କରି କୁହାଯାଇଛି କି କେବଳ ୬୦ ହଜାର ସ୍ଥାନୀୟ ଲୋକଙ୍କୁ ହଜ୍ ଯାତ୍ରା ପାଇଁ ଅନୁମତି ମିଳିବ ।