କଟକ ବୁଲିଲେ ନୂଆ କଲେକ୍ଟର ! ଐତିହାସିକ ସହରରେ କାହିଁକି ସୃଷ୍ଟି ହେଉଛି ଜଳବନ୍ଦୀ ସମସ୍ୟା? ତାର କାରଣ ଖୋଜିଲେ ଅରବିନ୍ଦ ଅଗ୍ରୱାଲ

38

କନକ ବ୍ୟୁରୋ: କଟକର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବାର ଦିନକ ପରେ ସହରର ତଳି ଅଂଚଳ ବୁଲି ଦେଖିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଐତିହାସିକ ସହରରେ କାହିଁକି ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି ? କିପରି ତାର ସମାଧାନ କରାଯିବ ? ଅନ୍ୟ ଅଧିକାରୀଙ୍କ ସହ ମିଶି ତଳି ଅଂଚଳ ବୁଲିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି କଟକର ନୂଆ ଜିଲ୍ଲାପାଳ ।

କଟକ ସହରର ତଳି ଅଂଚଳ ପରିଦର୍ଶନ କଲେ ଜିଲ୍ଲାପାଳ । ବର୍ଷା ପାଣି ଜମୁଥିବା ଅଂଚଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ମିଶି ଜଳ ଜମିବାର କାରଣ ଖୋଜି କଟକର ପଟାପୋଲ ଅଂଚଳର ବିଭିନ୍ନ ସ୍ଥାନରେ ଡ୍ରେନ୍ଗୁଡିକର ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ । ଏହାସହ ମେରିଆ ବଜାର, କେଶରପୁର ଆଦି ଅଂଚଳ ବୁଲିବା ସ୍ଥାନୀୟ କର୍ପୋରେଟରଙ୍କ ସହ ଆଲୋଚନା କରିଛନ୍ତି । ସହରର ଡ୍ରେନ ଗୁଡିକରୁ ସଠିକ୍ ଭାବରେ ଆବର୍ଜନା ସଫା ହୋଇପାରୁନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନଥିବା କହିଛନ୍ତି ଅରବିନ୍ଦ ଅଗ୍ରୱାଲ । ଏହାସହ କେତେକ ସ୍ଥାନରେ ଡ୍ରେନ ଉପରେ ଲୋକ ଘର କରି ରହିବା, ଜଳ ଜମିବାର ଆଉ ଏକ କାରଣ ବୋଲି ଜିଲ୍ଲାପାଳ କହିଛନ୍ତି ।

କଟକରେ ବର୍ଷା ପାଣି ଜମି ରହିବା ନେଇ ଜାଇକାକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଯେ ପର୍ଯ୍ୟନ୍ତ ସହରରେ ଜାଇକା କାମ ଶେଷ ନହୋଇଛି ସେ ପର୍ଯ୍ୟନ୍ତ ସହରରେ ଏଭଳି ସମସ୍ୟା ଲାଗି ରହିବ ବୋଲି କହିଛନ୍ତି ସହରବାସୀ । ସେପଟେ ୫୮ ପ୍ରତିଶତ ଡ୍ରେନେଜ୍ କାମ ଶେଷ ହୋଇଥିବା କହିଛନ୍ତି ଡ୍ରେନେଜ ବିଭାଗର ପ୍ରକଳ୍ପ ଯନ୍ତ୍ରୀ । ବାକି କାମ ଆଗାମୀ ବର୍ଷେ ଭିତରେ ଶେଷ ହୋଇଯିବ ।