ଗ୍ୟାଙ୍ଗଷ୍ଟର ଟିଟୋକୁ ନେଇ ଗୋଡ ଟଣାଟଣି ବିଜେପି-ବିଜେଡି !

22

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ଟିଟୋକୁ ନେଇ ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ଗୋଡ ଟଣାଟଣି । ଟିଟୋ ସହ ରାଜ୍ୟସରକାରଙ୍କ ସଂପୃକ୍ତି ନେଇ ବିଜେପିର ଅଭିଯୋଗ  । ୧୦ ହଜାର କୋଟି ଟଙ୍କାର ଟିଟୋ ସାମ୍ରାଜ୍ୟ ତଦନ୍ତ ଉପରେ  ଘଣ୍ଟ ଘୋଡାଉଛନ୍ତି ରାଜ୍ୟ ସରକାର । ଏଭଳି କିଛି ସଂଗୀନ ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । କେବଳ ଅପରାଧ ନୁହେଁ ଆତଙ୍କବାଦ ଲିଙ୍କ୍ ଥିବା ଟିଟୋର ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁଛି ବିଜେଡି ସରକାର ବୋଲି ଲେଖାଶ୍ରୀଙ୍କ ଅଭିଯୋଗ ।

ଗ୍ୟାଙ୍ଗଷ୍ଟାର ଟିଟୋ ୧୦ ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟର ଚେର କେଉଁଠିକୁ ଲମ୍ବିଛି ତାହାର ତଦନ୍ତ ଭାର ସିବିଆଇକୁ ଦିଆଯାଉ । ଏବଂ ଆତଙ୍କବାଦ ଲିଙ୍କ ନେଇ ଏନଆଇଏକୁ ତଦନ୍ତ ଦିଆଯାଉ ବୋଲି ଦାବି କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଏହାଛଡା ରାଜ୍ୟ ସରକାର ଗଠନ କରିଥିବା ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଏସଟିଏଫ ମୁଖ୍ୟ ରାଜ୍ୟସରକାରଙ୍କ ଅଧିନରେ ରହି ସଂପୂର୍ଣ୍ଣ ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରୁଛନ୍ତି ।

ଏହାର ଜବାବ ରଖିଛି ବିଜେଡି । ବିଜେପି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ପ୍ରକୃତରେ ଟିଟୋର ତଦନ୍ତ ନେଇ ବିଜେପି ଭୟଭିତ । କାରଣ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ ଟିଟୋର ଅପରାଧିକ ମାଲାରେ ଜେରା କରିବ । ଏହାସହ ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ କିଭଳି ମିଳିଲା ତାକୁ ନେଇ ମଧ୍ୟ ନିଶ୍ଚିନ୍ତ ଖୋଳତାଡ କରିବ ଏସଟିଏଫ । ସେଥିପାଇଁ ବିଜେପି ହୁଏତ ଭୟବିତ ହୋଇ ଓଲଟି ବିଜେଡି ଉପରେ ଆରୋପ ଲଗାଉଛି । ଟିଟୋ କେମିତି ବେଆଇନ ପେଟ୍ରୋଲ ପମ୍ପ ପାଇଲା ତାହା ଉପରେ ରାଜ୍ୟବାସୀଙ୍କୁ ସ୍ପଷ୍ଟିକରଣ ଦେଉ ବିଜେପି ବୋଲି ବିଜେଡି ପାଲଟା ପ୍ରଶ୍ନ କରିଛି ।