ଚେନ୍ନାଇ ଟିମରେ ଚାଲିଛି କଣ? ଇନଷ୍ଟାଗ୍ରାମରେ ଜାଡେଜାଙ୍କୁ ଅନଫଲୋ କଲା ସିଏସକେ

383

କନକ ବ୍ୟୁରୋ: ଆଇପିଏଲ ଇତିହାସରେ ଚେନ୍ନାଇ ସୁପର କିଙ୍ଗସ ସବୁଠାରୁ ସଫଳ ଦଳ । ୨୦୦୮ରୁ ଲଗାତାର ଭାବେ ଭଲ ପ୍ରଦର୍ଶନ କରିଆସୁଛି ସିଏସକେ । କେବଳ ୨୦୨୦ରେ ଦଳ ପ୍ଲେ ଅଫରୁ ବାଦ ପଡିଥିଲା । ସେହିପରି ଏଥର ମଧ୍ୟ ଦଳର ସମାନ ସ୍ଥିତି ରହିଛି । ଚଳିତ ବର୍ଷ ଧୋନୀଙ୍କ ବଦଳରେ ଜାଡେଜାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ହେଲେ ଏଥିରେ ସେ ସଫଳ ହୋଇନଥିଲେ । ତେଣୁ ଶେଷ ବେଳକୁ ଜାଡେଜାଙ୍କଠାରୁ ଅଧିନାୟକ ପଦ ଛଡାଇ ଆଣି ପୁଣି ଧୋନୀଙ୍କ ହାତରେ ଦିଆଯାଇଥିଲା ।

ଦଳରେ ସବୁକିଛି ଠିକ ରହିଥିଲା । ବିବାଦ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ସୋସିଆଲମିଡିଆରେ ଜୋର ଧରିଥିଲା ଯେ, ଚେନ୍ନାଇ ନିଜ ଇନଷ୍ଟାଗ୍ରାମ ପେଜରୁ ରବିନ୍ଦ୍ର ଜାଡେଜାଙ୍କୁ ଅନଫଲୋ କରିଛି । ଏହି ଘଟଣା ପରେ କୁହାଯାଉଛି ଯେ ଟିମ ମ୍ୟାନେଜମେଣ୍ଟ ଆଉ ଜାଡେଜାଙ୍କ ମଧ୍ୟ କିଛି ଠିକ ଚାଲି ନାହିଁ । ଏହି ବିବାଦ ପାଇଁ ତାଙ୍କୁ ଦିଲ୍ଲୀ ବିପକ୍ଷ ମ୍ୟାଚରେ ମଧ୍ୟ ସ୍ଥାନ ମିଳିନଥିଲା ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ହେଲେ ଏହି ଘଟଣାରେ କେତେ ସତ୍ୟତା ରହିଛି ତାହା ଏଯାଏଁ ସାମ୍ନାକୁ ଆସିନାହିଁ ।

ସେପଟେ ଦଳ ପକ୍ଷରୁ କୁହାଯାଇଛି ଯେ, ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଜାଡେଜା ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ । ଏହି ମ୍ୟାଚରେ ଚେନ୍ନାଇ ପରାଜିତ ହୋଇଥିଲା । ଆଗାମୀ ମ୍ୟାଚ ଦିଲ୍ଲୀ ବିପକ୍ଷରେ ରହିଥିଲା । ହେଲେ ଆହତ ଯୋଗୁଁ ତାଙ୍କୁ ଏହି ମ୍ୟାଚରେ ବିଶ୍ରାମ ଦିଆଯାଇଥିଲା । ତେବେ ଜାଡେଜା ସୁସ୍ଥ ହେବାକୁ ସମୟ ଲାଗିବ ବୋଲି ଟିମ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି । ଚେନ୍ନାଇ ଆଗକୁ ଆଉ ମାତ୍ର ୩ଟି ମ୍ୟାଚ ଖେଳିବାକୁ ଥିବା ବେଳେ ଆଉ ଜାଡେଜାଙ୍କୁ ଖେଳାଇ ରିସ୍କ ନେବା ପାଇଁ ଚାହିଁବନି । ତେଣୁ ତାଙ୍କୁ ଚଳିତ ଆଇପିଏଲରୁ ବିଶ୍ରାମ ଦିଆଯାଇପାରେ ବୋଲି କୁହାଯାଉଛି ।

ଚଳିତ ବର୍ଷ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ରବିନ୍ଦ୍ର ଜାଡେଜା ସମ୍ଭାଳିଥିଲେ । ୮ଟି ମ୍ୟାଚରେ ସେ ଅଧିନାୟକ ରହିଥିଲେ । ଯେଉଁଥିରେ ମାତ୍ର ୨ଟି ମ୍ୟାଚରେ ଚେନ୍ନାଇ ବିଜୟୀ ହୋଇଥିବା ବେଳେ ଅନ୍ୟ ସବୁ ମ୍ୟାଚରେ ପରାସ୍ତ ହୋଇଥିଲା । ଏହାପରେ ଚେନ୍ନାଇର କମାଣ ଧୋନୀଙ୍କୁ ଦେଇ ଦିଆଯାଇଥିଲା । ବର୍ତ୍ତମାନ ଚେନ୍ନାଇ ମୋଟ ୧୧ଟି ମ୍ୟାଚ ଖେଳି ୪ଟିରେ ବିଜୟୀ ହୋଇ ୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ୯ ନମ୍ବର ସ୍ଥାନରେ ରହିଛି । ତେଣୁ ଚେନ୍ନାଇ ଚଳିତ ବର୍ଷ ପ୍ଲେଅଫକୁ ଯିବାର ସ୍ୱପ୍ନ ମଧ୍ୟ ଅଧୁରା ରହିଯିବ ।