କନକ ବ୍ୟୁରୋ : ଲଗାଣ ବର୍ଷା ଏବଂ ବନ୍ୟା ଧୋଇ ନେଲା ଚାଷୀର ଆଶା । ଉଜୁଡିଗଲା ଫସଲ । ବନ୍ୟା ପାଣି ପଶି ଯିବାରୁ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଓ ଗରଦପୁରରେ ନଷ୍ଟ ହୋଇଯାଇଛି ହେକ୍ଟର ହେକ୍ଟର ଜମିରେ ପନି ପରିବା ଫସଲ । ଚାଷ ଉଜୁଡି ଯିବା ପରେ ଶସ୍ତାରେ ବିକିଥିବା ପରିବାକୁ ଏବେ ବଜାରରୁ ଅଧିକ ଟଙ୍କା ଦେଇ କିଣୁଛି ଚାଷୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାର କରଜ କରି ଚାଷି ନଦୀ ପଠାରେ ଚାଷ କରିଥିବା ପନିପରିବା ପାଣିରେ ବୁଡି ରହି ପଚି ନଷ୍ଟ ହେବା ସଙ୍ଗେ ସଙ୍ଗେ ଚାଷିର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି । ସେପଟେ ସ୍ଥାନୀୟ ଅଂଚଳରେ ଉତ୍ପାଦନ ବନ୍ଦ ହେବା ଫଳରେ ପନି ପରିବା ଦର ଏବେ ଆକାଶ ଛୁଆଁ । ପରିବା ବିକି ଦୁଇ ପଇସା ରୋଜଗାର କରିବ କଣ, ଅଧିକ ଦର ଦେଇ ଚାଷୀ କିଣୁଛି ପରିବା । କାରଣ ଲଗାଣ ବର୍ଷା ଏବଂ ବନ୍ୟା ଧୋଇ ନେଇଛି ତାର ପରିବା ଚାଷକୁ । ଜମିରେ ଫସଲ ନଷ୍ଟକୁ ଦେଖି ଭାଙ୍ଗି ପଡିଥିବା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଏବଂ ଗରଦପୁର ବ୍ଲକର ଚାଷୀ ଅଦର ଦରରେ ବଜାରରୁ ପରିବା କିଣୁଛନ୍ତି ।
ପନିପରିବା ଚାଷର ପେଣ୍ଠ ସ୍ଥଳ କୁହାଯାଉଥିବା ମାର୍ଶାଘାଇ ଏବଂ ଗରଦପୁର ବ୍ଲକରେ ଖରା ଏବଂ ବର୍ଷାଦିନିଆ ଚାଷ କରାଯାଇଥାଏ । ଏଠାରୁ ଉତ୍ପାଦିତ ପରିବା ଜିଲ୍ଲା ସମେତ ପଡୋଶୀ ଜିଲ୍ଲା ଜଗତସିଂପୁରର ପାରାଦ୍ୱୀପ, କଟକ ଏବଂ ଯାଜପୁର ଅଂଚଳକୁ ରପ୍ତାନି କରାଯାଇଥାଏ । କିନ୍ତୁ ବିଡମ୍ବନାର ବିଷୟ ଲଗାଣ ବର୍ଷା ଯୋଗୁଁ ଲୁଣା, କରାଣ୍ଡିଆ, ପାଇକା ଏବଂ ମହାନଦୀରେ ବନ୍ୟା ଆସିବାରୁ ନଦୀ ପଠାରେ ଚାଷ କରାଯାଇଥିବା ପୋଟଳ, ଭେଣ୍ଡି, କଲରା, ବାଇଗଣ , ଝୁଡଙ୍ଗ ଇତ୍ୟାଦି ଫସଲ ପଚିସଢ଼ି ନଷ୍ଟ ହୋଇଯାଇଛି ।
ମର୍ଶାଘାଇ ଏବଂ ଗରଦପୁରର ଚାଷୀ ଦିନେ ଯେଉଁ ପରିବାକୁ ବେପାରୀଙ୍କୁ ବିକ୍ରି କରୁଥିଲେ । ଆଜି ତାହାକୁ ଚଢ଼ା ଦରରେ କିଣି ଖାଉଛନ୍ତି । ପୂର୍ବରୁ ପୋଟଳ କିଲୋ ପ୍ରତି ୨୦ ଟଙ୍କା ଥିବା ବେଳେ ଏବେ ୬୦ ଟଙ୍କାରେ ପହଂଚିଛି । କେବଳ ପୋଟଳ ନୁହେଁ ଅନ୍ୟ ସବୁ ପରିବା ଦର ୩୦ ଟଙ୍କା ଉପରେ ରହିଛି । ଯାହାକୁ ନେଇ ଗ୍ରାହକ ଚିନ୍ତାରେ ପଡିଥିବା ବେଳେ ଚାଷୀକୂଳର ମେରୁଦଣ୍ଡ ଭାଙ୍ଗି ଯାଇଛି । କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ବନ୍ୟା ଏବଂ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ପରିବା ଚାଷୀଙ୍କୁ ଚିହ୍ନଟ କରି ସାହାଯ୍ୟ ସହୋଯୋଗ ଯୋଗାଇ ଦେବାକୁ ଦାବି ହେଉଛି ।