ବିଶ୍ୱକପ ୨୦୨୩ : ଅହମ୍ମଦାବାଦରେ ହୋଇପାରେ ବିଶ୍ୱକପ ଫାଇନାଲ, ଖୁବଶୀଘ୍ର ହୋଇପାରେ ତାରିଖ ଘୋଷଣା । 

90

କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଆଜି ଶେଷ ମ୍ୟାଚ ଖେଳାଯିବ । ତେବେ ଏହାପୂର୍ବରୁ କ୍ରିକେଟପ୍ରେମୀଙ୍କ ପାଇଁ  ଖୁସି ଖବର ସାମ୍ନାକୁ ଆସିଛି । ଚଳିତବର୍ଷ ଭାରତରେ ବିଶ୍ୱକପ ଆୟୋଜନ ହେବାକୁ ଥିବା ବେଳେ ୧୦ଟି ଟିମ୍ ଏଥିରେ ଭାଗ ନେବେ । ଆଉ ଏହି ଐତିହାସିକ ବିଶ୍ୱକପରେ ୪୮ଟି ମ୍ୟାଚ୍ ଖେଳାଯିବ । ଫାଇନାଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ସେହିଭଳି ଏହି ବିଶ୍ୱକପ ୧୨ଟି ଭେନ୍ୟୁରେ ଖେଳାଯାଇପାରେ । ଅହମ୍ମଦାବାଦ ବ୍ୟତୀତ ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ଗୌହାଟୀ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ଇନ୍ଦୋର,  ରାଜକୋଟ ଓ ମୁମ୍ବାଇରେ ବିଶ୍ୱକପର ମ୍ୟାଚ୍ ଖେଳାଯାଇପାରେ । ତେବେ କେଉଁଠି କେଉଁ ମ୍ୟାଚ୍ ଖେଳାଯିବ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ଯେହେତୁ ବିଶ୍ୱକପ ସମୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ମଧ୍ୟ ରହିଛି ତେଣୁ ଚୂଡାନ୍ତ ଭେନ୍ୟୁ ଆସିବାରେ ବିଳମ୍ବ ହେଉଛି ।

ସାଧାରଣତଃ ଆଇସିସି ବିଶ୍ୱକପର କାର୍ଯ୍ୟସୂଚୀ ବର୍ଷେ ପୂର୍ବରୁ ଘୋଷଣା କରେ । କିନ୍ତୁ ଚଳିତଥର କିଛି ସମସ୍ୟା ଥିବାରୁ ଏଥିରେ ବିଳମ୍ବ ହେଉଛି । ଖାସକରି ବିଶ୍ୱକପ ମ୍ୟାଚ୍ ପାଇଁ ଟିକସ ହ୍ରାସ  କରିବାକୁ ସରକାରଙ୍କ ସହ ଆଲୋଚନା ଚାଲିଥିବା ବେଳେ ପାକିସ୍ତାନ ଟିମର ଭିସାକୁ ନେଇ କିଛି ସମସ୍ୟା ରହିଥିବାରୁ କାର୍ଯ୍ୟସୂଚୀ ଘୋଷଣାରେ ବିଳମ୍ବ ହେଉଛି । ତେବେ ବିସିସିଆଇ ପକ୍ଷରୁ ଆଶ୍ୱସ୍ତ କରାଯାଇଛି ଯେ, ପାକିସ୍ତାନ ଟିମକୁ ଭିସା ମିଳିବାରେ କୌଣସି ସମସ୍ୟା ରହିବନି ।