ଆଇପିଏଲ ପ୍ରସାରଣ ଅଧିକାର : ଷ୍ଟାରକୁ ମିଳିଲା ଆଇପିଏଲ ମିଡିଆ ରାଇଟସ

215

କନକ ବ୍ୟୁରୋ : ଆଇପିଏଲ ଲିଗର ଆସନ୍ତା ୫ ବର୍ଷ ପ୍ରସାରଣ ପାଇଁ ମିଡିଆ ରାଇଟସ ହାସଲ କରିଥିବା କମ୍ପାନୀ ମାନଙ୍କ ନାମ ଘୋଷଣା କରାଯାଇଛି । ଏନେଇ ଆଇପିଏଲ ଅଧିକାରୀଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସୂଚନା ଦିଆଯାଇଛି । ଏହି ଅଧିକାର ୨୦୨୩-୨୦୨୭ ପର୍ଯ୍ୟନ୍ତ ରହିବ । ଆଇପିଏଲ ବୋର୍ଡ ତରଫରୁ ଷ୍ଟାର ସ୍ପୋର୍ଟସ୍ ଇଣ୍ଡିଆକୁ ପୁଣିଥରେ ଆଇପିଏଲର ଟିଭି ପ୍ରସାରଣର ଅଧିକାର ମିଳିଥିବା ବେଳେ ଭାଇକମ-୧୮ ଓ ଟାଇମ୍ସ ଇଣ୍ଟରନେଟ୍ କୁ ଡିଜିଟାଲ ପ୍ରସାରଣ ପାଇଁ ସୁଯୋଗ ମିଳିଛି । ଏନେଇ ବୋର୍ଡ ସଚିବ ଜୟ ଶାହା ସୂଚନା ଦେଇଛନ୍ତି । ଏହି ନିଲାମୀରେ ବୋର୍ଡକୁ ମୋଟ ୪୮ ହଜାର ୩୯୦ କୋଟି ଟଙ୍କା ମିଳିଛି ।

କହିରଖୁ କି ବିସିସିଆଇ ତରଫରୁ ମୋଟ ୪ ଟି କାଟାଗୋରୀର ଅଧିକାର ପାଇଁ ରବିବାର ଦିନ ନିଲାମୀ ଆରମ୍ଭ କରିଥିଲା । ଏହି ନିଲାମୀ ଆଜି ଶେଷ ହୋଇଛି । ପ୍ରଥମ କାଟାଗୋରୀରେ ଭାରତୀୟ ଉପ ମହାଦ୍ୱୀପ ପାଇଁ ଟିଭି ରାଇଟସ ସାମିଲ ଥିଲା ଓ ଦ୍ୱିତୀୟ କାଟାଗୋରୀରେ ଭାରତୀୟ ଉପ ମହାଦ୍ୱୀପରେ ଡିଜିଟାଲ ପ୍ରସାରଣ ଅଧିକାର ସାମିଲ ଥିଲା । ତୃତୀୟ କାଟାଗୋରୀରେ କିଛି ନିର୍ବାଚିତ ମ୍ୟାଚର ଡିଜିଟାଲ ପ୍ରସାରଣ ସାମିଲ କରାଯାଇଥିଲା । ଏହାସହ ଚତୁର୍ଥ କାଟାଗୋରୀରେ ଉପ ମହାଦ୍ୱୀପ ବାହାରେ ଟିଭି ଓ ଡିଜିଟାଲ ପ୍ରସାରଣ ଅଧିକାର ସାମିଲ ଥିଲା । ସେପଟେ ଆସନ୍ତା ୫ ବର୍ଷ ମଧ୍ୟରେ ବିସିସିଆଇ ଆଇପିଏଲର ୪୧୦ ମ୍ୟାଚ ଆୟୋଜନ କରିବାର ବ୍ୟବସ୍ଥା କରିଛି ।

 

ଏନେଇ ଜୟ ଶାହାଙ୍କ ଟ୍ୱିଟ୍ ମୁତାବକ ଭାଇକମ୍-୧୮ କୁ ୨୩.୭୫୮ କୋଟି ଟଙ୍କାରେ ଡିଜିଟାଲ ରାଇଟସ ମିଳିଥିବା ବେଳେ ଟିଭି ପ୍ରସାରଣ ପାଇଁ ଷ୍ଟାର ଇଣ୍ଡିଆକୁ ୨୩.୫୭୫ କୋଟି ଟଙ୍କା ଦେବାକୁ ପଡିଛି । କହିରଖୁ କି ଗତଥର ଏହି ଟିଭି ରାଇଟସ ଓ ଡିଜିଟାଲ ରାଇଟସ ପାଇଁ ଷ୍ଟାର ଇଣ୍ଡିଆକୁ ୧୬,୩୪୮ କୋଟି ଟଙ୍କା ଦେବାକୁ ପଡିଥିଲା ।