ଦ୍ୱିତୀୟ ଦିନରେ ରାହୁଲଙ୍କୁ ଇଡିର ଜେରା। ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା। 

60

କନକ ବ୍ୟୁରୋ : ସବୁଦିନ ପ୍ରାୟ କଂଗ୍ରେସର ସବୁ ସକ୍ରିୟ ନେତାଙ୍କୁ ଏକାଠି ଦେଖିବାକୁ ମିଳେ ନାହିଁ  । ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ରାହୁଲ ମଝିରେ ବସିଛନ୍ତି, ଆଉ ବାଁ ଓ ଡାହାଣ ପଟେ ବସିଛନ୍ତି କଂଗ୍ରେସର ଜଣକ ପରେ ଜଣେ ହେଭିୱେଟ  । ରାହୁଲ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଦ୍ୱିତୀୟ ଦିନ ହାଜର ହେବା ପୂର୍ବର ଦୃଶ୍ୟ ସାମ୍ନାକୁ ଆସିଛି  । ସୋମବାର ପରି ପୁଣି ରାହୁଲ ଇଡିରେ ହାଜର ହେବା ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋମବାର ୧୦ ଘଣ୍ଟାର ଜେରା କରାଯିବା ପରେ ରାହୁଲ ଗାନ୍ଧୀଙ୍କୁ ପୁଣି ମଙ୍ଗଳବାର ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି  । ନ୍ୟାସନାଲ ହେରାଲ୍ଡ ଟଙ୍କା ଠକେଇ ମାମଲାରେ ଏହି ଜେରା କରାଯାଉଛି  । ପ୍ରଥମ ଦିନ ଜେରା ବେଳେ ରାହୁଲଙ୍କୁ ଇଡି ଅଧିକାରୀମାନେ ପ୍ରାୟ ୨୫ଟି ପ୍ରଶ୍ନ ପଚାରିଥିଲେ ଓ ରାହୁଲ ଏହାର ଉତ୍ତର ରଖିଥିଲେ  । ହେଲେ କ’ଣ କ’ଣ ପ୍ରଶ୍ନ ପଚରାଯାଇଥିଲା, ତାହା ଜଣାପଡ଼ିନାହିଁ  । ସେପଟେ ରାହୁଲଙ୍କୁ ଇଡିର ଏହି ଜେରାକୁ ଏକ ରାଜନୈତିକ ପ୍ରସଙ୍ଗ କରିଛି କଂଗ୍ରେସ  । ମୋଦୀ ସରକାର ବିରୋଧୀଙ୍କୁ ହଇରାଣ କରିବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର କିପରି, ଏହା ତା’ର ଏକ ଉଦାହରଣ ବୋଲି କଂଗ୍ରେସ ନେତା କହିଛନ୍ତି । ଇଡି କାର୍ଯ୍ୟାଳୟ ଆଗରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ବିକ୍ଷୋଭ କରିଛନ୍ତି  ।

ବିଜେପିର କହିବା କଥା, ଆଇନ ତା ବାଟରେ ଯାଉଛି  । ଇଡିର ତଦନ୍ତ ଆଇନର ପରିସର ଭିତରେ ଚାଲିଛି  । ତେଣୁ କଂଗ୍ରେସ ଅଯଥାରେ ରାଜନୀତି କରିବାକୁ ଚେଷ୍ଟା କରୁଥିବା ବିଜେପି କହିଛି  । ସେପଟେ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଇଡି ମୁଖ୍ୟାଳୟ ଓ କଂଗ୍ରେସ ମୁଖ୍ୟାଳୟ ନିକଟରେ ୧୪୪ ଧାରା ଲାଗୁ କରାଯାଇଛି ।

ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ୨୦୧୩ରେ କୋର୍ଟରେ ମାମଲା ରୁଜୁ କରିବା ପରେ ନ୍ୟାସନାଲ ହେରାଲ୍ଡ ମାମଲା ସାମ୍ନାକୁ ଆସିଥିଲା  । ଗାନ୍ଧୀ ପରିବାର ବେଆଇନ ଭାବେ ଏହି ଖବରକାଗଜ କିଣିନେଇଥିବା ସେ ଅଭିଯୋଗ କରିଥିଲେ  । ଏହା ପରେ ୨୦୧୪ରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ତଦନ୍ତ କରଛି  । ରାହୁଲଙ୍କ ସହ କଂଗ୍ରେସା ଅଧ୍ୟକ୍ଷା ସୋନିଆଙ୍କୁ ମଧ୍ୟ ହାଜର ହେବାକୁ ସମନ କରିଛି ଇଡି ।