ମଙ୍ଗଳବାରରେ ମଟନ ରୋଷେଇକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା, ଜାଣନ୍ତୁ କେମିତି ଗଲା ପଡୋଶୀଙ୍କ ଜୀବନ

1,210

କନକ ବ୍ୟୁରୋ : କଳି ବା ଝଗଡା କାହା ଘରେ ନାହିଁ । କେବେ ଟଙ୍କା ପଇସାକୁ ନେଇ ତ କେବେ ରୋଷେଇକୁ ନେଇ । ହେଲେ ଆପଣ କେବେ ଶୁଣିଛନ୍ତି କି ପରିବାରର କଳି ପାଇଁ ପଡୋଶୀଙ୍କ ଜୀବନ ଯାଇଛି । ହଁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ଭୋପାଳରେ ।

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମଙ୍ଗଳବାର ମଟନ ରୋଷେଇକୁ ନେଇ ଝଗଡା ହୋଇଥିଲା । ଏଥିରେ ଏମିତି କିଛି ଘଟିଲା ଯେ ପଡୋଶୀଙ୍କ ଜୀବନ ଚାଲିଗଲା । ଭୋପାଳରେ ରହୁଥିବା ପପୁ ନାମକ ଜଣେ ବ୍ୟକ୍ତି ନିଜ ରାଗ ଉପରେ ନିୟନ୍ତ୍ରଣ ରଖି ନପାରିବାରୁ ପଡୋରୀ ବିଲୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛି ।

ସୂଚନା ମୁତାବକ ପପୁ ମଙ୍ଗଳବାର ଦିନ ଘରକୁ ମଟନ ନେଇ ଆସିଥିଲା । ହେଲେ ମଙ୍ଗଳବାରରେ ପରିବାର ଲୋକେ ଆମୀଷ ଖାଉ ନଥିବାରୁ ଏହାକୁ ନେଇ ପପୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ସ୍ତ୍ରୀ ଯୁକ୍ତି କରିଥିଲେ ଯେ ହିନ୍ଦୁ ପରମ୍ପରା ମୁତାବକ ମଙ୍ଗଳବାରରେ ଆମୀଷ ଭକ୍ଷଣ କରାଯାଏ ନାହିଁ । ହେଲେ ମଟନ ଖାଇବାକୁ ସ୍ୱାମୀ ଜିଦ୍ କରିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ପପୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିବା ଶୁଣି ପଡୋଶୀ ବିଲୁ ସେଠାରେ ପହଂଚି ଯାଇଥିଲେ । ବିଲୁ ଉଭୟଙ୍କ ମଧ୍ୟରେ ଝଗଡା ଭାଙ୍ଗି ପୁଣି ଘରକୁ ଫେରିଥିଲା । ଏହାପରେ ପପୁ ସିଧା ଯାଇ ବିଲୁର ଘରେ ପହଂଚିଥିଲା । ଆମ କଳି ମଧ୍ୟରେ କାହିଁକି ମୁଣ୍ଡ ପୁରାଇଲୁ କହି ବିଲୁ ଉପରେ ଆକ୍ରମଣ କରିଥିଲା । ପପୁର ଆକ୍ରମଣରେ ବିଲୁର ଜୀବନ ଚାଲିଯାଇଛି । ଏନେଇ ପପୁର ପତ୍ନୀଙ୍କ ଅଭିଯୋଗ ପରେ ପୋଲିସ ପପୁକୁ ଗିରଫ କରିଛି ।