ସେହୱାଗଙ୍କ ନିର୍ଦ୍ଧୁମ ପ୍ରହାର, ବୋଲର ହେଉଥିଲେ ଥରହର । ନଜଫଗଡର ନୱାବ ସାଜିଥିଲେ ମୁଲତାନର ସୁଲତାନ, ଜନ୍ମଦିନରେ ଜାଣନ୍ତୁ ସେହୱାଗ ଏହି ଅବିସ୍ମରଣୀୟ ଯାତ୍ରାର କାହାଣୀ ।

302

କନକ ବ୍ୟୁରୋ : ବିଶ୍ୱ କ୍ରିକେଟରେ ନୀର୍ଭିକ ତଥା ଦୁର୍ଦ୍ଦଷ ବ୍ୟାଟର ଭାବେ ଯେଉଁ ଅଳ୍ପ କିଛି ଖେଳାଳୀ ଜଣାଶୁଣା ସେମାନଙ୍କ ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ନାଁ ପ୍ରଥମେ ସାମ୍ନାକୁ ଆସେ । ଦିନିକିଆ ହେଉ କି ଟେଷ୍ଟ ଅବା ଟି-୨୦ ପ୍ରତି ମ୍ୟାଚରେ ସେହୱାଗଙ୍କ ବ୍ୟାଟିଂ ଶୈଳୀରେ କେହି କେବେ ପରିବର୍ତ୍ତନ ଦେଖିନାହାନ୍ତି । ମ୍ୟାଚର ପ୍ରଥମ ବଲରୁ ହିଁ ବଡ ସଟ୍ ଖେଳିଥାନ୍ତି ସେହୱାଗ, ଆଉ ଏହି ଅନ୍ଦାଜ ପାଇଁ କୋଟି କୋଟି କ୍ରିକେଟପ୍ରେମୀ ସେହୱାଗଙ୍କ ଫ୍ୟାନ୍ । ସେହୱାଗ ବ୍ୟାଟ ଧରି ମୈଦାନକୁ ଆସିଲେ ବୋଲରଙ୍କ ମନରେ ଛନକା ପଶିଥାଏ । କେମିତି ଓଭର ସରିବ ଓ ସେହୱାଗ ଷ୍ଟ୍ରାଇକକୁ ନ ଆସିବେ ସେଥିପାଇଁ ଚାଲେ ପ୍ଲାନିଂ । ବିଶ୍ୱ କ୍ରିକେଟର ବଡ ବଡ ବୋଲର ଭୟ କରୁଥିବା ବୀରେନ୍ଦ୍ର ସେହୱାଗଙ୍କର ଆଜି ହେଉଛି ଜନ୍ମଦିନ । ଆଉ ନିଜ ପ୍ରିୟ କ୍ରିକେଟରଙ୍କୁ ଏବେ ସୋସିଆଲ ମିଡ଼ିଆରେ ଛୁଟୁଛି ଶୁଭେଚ୍ଛାର ସୁଅ ।

୧୯୭୮ ଅକ୍ଟୋବର ୨୦ରେ ଜନ୍ମଗ୍ରହଣ କରିଥିବା ସେହୱାଗ କ୍ରିକେଟ ଦୁନିଆର ଏମିତି ଜଣେ ଚେହେରା ଯାହାଙ୍କ ବ୍ୟାଟିଂ ଦେଖିବାକୁ ଚାହିଁ ରହିଥାନ୍ତି ବିଶ୍ୱର କ୍ରିକେଟ ପ୍ରଂଶସକ । ବିନ୍ଦାସ ଓ ଆକ୍ରମଣାତ୍ମକ ଶୈଳୀ ବ୍ୟାଟିଂ କରି ପ୍ରଂଶସକଙ୍କ ମନରେ ସ୍ୱତନ୍ତ୍ର ଛାପ ସୃଷ୍ଟି କରିଥିଲେ ସେହୱାଗ । ନଜଫଗଡର ନୱାବରୁ ମୁଲତାନର ସୁଲତାନ ପରିଚୟ ସେହୱାଗଙ୍କ କ୍ରିକେଟ କ୍ୟାରିୟରର ସବୁଠୁ ବଡ ଉପଲବ୍ଧି । ଭାରତର ଟି-୨୦ ଓ ଦିନିକିଆ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ରହିଥିଲେ ସେହୱାଗ । ନିଜ କ୍ରିକେଟ କ୍ୟାରିୟରରେ ଅନେକ ବିଶ୍ୱ ରେକର୍ଡ କରିଛନ୍ତି ଭାରତର ଏହି ଦୁର୍ଦ୍ଦଷ ବ୍ୟାଟର । ଦ୍ରୁତ ବ୍ୟାଟିଂ କରିବାରେ ମାହିର ଥିବା ସେହୱାଗ ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ଏକମାତ୍ର ଖେଳାଳୀ ଭାବେ ୨ଟି ତ୍ରିଶତକ ହାସଲ କରିବାରେ ସଫଳ ହୋଇଛନ୍ତି । ସେହିଭଳି ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ସେହୱାଗ ଟି-୨୦ କ୍ରିକେଟରେ ବିସ୍ଫୋରକ ବ୍ୟାଟିଂ କରିବାରେ ମହାରଥ ହାସଲ କରିଥିଲେ । ତେବେ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ଧୂଆଁଧାର ଇନିଂସ ଖେଳି ମୁଲତାନର ସୁଲତାନ ପରିଚୟ ପାଇଥିଲେ ସେହୱାଗ ।

୨୦୦୪ରେ ପାକିସ୍ତାନ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ମୁଲତାନରେ ଖେଳିଥିଲା ପ୍ରଥମ ମ୍ୟାଚ୍ । ଓପନିଂ କରିବାକୁ ଆସିଥିବା ସେହୱାଗଙ୍କ ଦୁଦ୍ଦର୍ଷ ବ୍ୟାଟିଂ ସେଦିନ ପୂରା ବିଶ୍ୱ ଦେଖିଥିଲା । ପାକିସ୍ତାନର ପ୍ରତିଟି ବୋଲରଙ୍କୁ ନିର୍ଦ୍ଧୁମ ଛେଚିଥିଲେ ସେହୱାଗ । ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳିଥିଲା ଟି-୨୦ ଝଲକ । ପ୍ରଥମ ଦିନରେ ହିଁ ୨୨୮ ରନ କରି ଅପରାଜିତ ଥିଲେ ସେହୱାଗ । ତେବେ ମ୍ୟାଚର ଦ୍ୱିତୀୟ ଦିନରେ ସେହୱାଗଙ୍କ ପାଇଁ ଆସିଥିଲା ଅବିସ୍ମରଣୀୟ ମୁହୂର୍ତ୍ତ, ଯାହା ଭାରତୀୟ କ୍ରିକେଟ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଥିଲା । ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟେଷ୍ଟ ମ୍ୟାଚରେ ସେହୱାଗଙ୍କ ବ୍ୟାଟରୁ ଆସିଥିଲା ତ୍ରିଶତକ । ଆଉ ସେହୱାଗଙ୍କ ରେକର୍ଡ ବହିରେ ଯୋଡି ହୋଇଥିଲା ଆଉ ଏକ ନୂଆ ଅଧ୍ୟାୟ । ନଜଫଗଡର ନୱାବ ବିଶ୍ୱ କ୍ରିକେଟରଙ୍କ ନଜରରେ ସାଜି ସାରିଥିଲେ ମୁଲତାନର ସୁଲତାନ । ଆଉ ଏହା ପରଠାରୁ ଅଟକିନଥିଲା ସେହୱାଗଙ୍କ ବ୍ୟାଟ । ପ୍ରତି ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରି କେବଳ ଟିମ୍ ଇଣ୍ଡିଆର ସ୍କୋର ବଢାଉନଥିଲେ ବରଂ ଟେଷ୍ଟ ମ୍ୟାଚକୁୁ ନେଇ କ୍ରିକେଟପ୍ରେମୀଙ୍କ ପୂର୍ବରୁ ଥିବା ଦୃଷ୍ଟିଭଙ୍ଗୀକୁ ବଦଳାଇ ଦେଇଥିଲେ ।

ଅନ୍ତର୍ଜାତୀୟ କ୍ରିକେଟରେ ୧୭ ହଜାରରୁ ଅଧିକ ରନ୍ କରିଥିବା ସେହୱାଗ ନିଜ ଜନ୍ମଦିନରେ ହିଁ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ । ପାକିସ୍ତାନ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିବା ସେହୱାଗ ପାକିସ୍ତାନ ବିପକ୍ଷରେ ହିଁ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ । ନିଜର ବିସ୍ଫୋରକ ବ୍ୟାଟିଂ ଶୈଳୀ ପାଇଁ ଭାରତୀୟ ଟିମର ଏହି ୭ ନମ୍ବର ଖେଳାଳୀ ପରବର୍ତ୍ତୀ ସମୟରେ ଟିମ୍ ଇଣ୍ଡିଆର ଭରସାଯୋଗ୍ୟ ଓପନର ପାଲଟିଥିଲେ । ସେହୱାଗ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଭାରତୀୟ କ୍ରିକେଟ ଟିମରେ ଯେଉଁ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ଏବେ ଅପୂରଣୀୟ ହୋଇ ରହିଛି ।