ପୁଣି ଫେରିଲା କରୋନା ଭୟ: ‘ରାଜ୍ୟରେ ଆସିପାରେ ନୂଆ ଗାଇଡଲାଇନ’

464

କନକ ବ୍ୟୁରୋ: ପୁଣି ଡରାଇଲାଣି କରୋନା । କେରଳ ସମେତ ଦେଶର କେତେକ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିିଛି । କେତେ ଜଣଙ୍କ ଜୀବନ ବି ନେଲାଣି, କରୋନାର ନୂଆ ପ୍ରଜାତି । ଯାହାକୁ ନେଇ ଲୋକଙ୍କ ଭିତରେ ପୁଣି ଥରେ ଭୟ ସୃଷ୍ଟି ହୋଇଛି । ଯାହାକୁ ଅତି ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର ।

ପ୍ରାୟ ଦୁଇ ବର୍ଷ ପରେ ପୁଣି ଥରେ କରୋନାକୁ ନେଇ ଭୟ ସୃଷ୍ଟି ହୋଇଛି । କୋଭିଡର ନୂଆ ଭାରିଆଂଟ୍ ଣ୍ଟ ଜେଏନ.୧ ଚିହ୍ନଟ ହେବା ପରେ ସାରା ଦେଶରେ ଆତଙ୍କ ଖେଳିଯାଇଛି । ବିଶେଷ କରି କେରଳ ଓ କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ, ୭ଜଣ ସଂକ୍ରମିତଙ୍କ ମୃତ୍ୟୁ ଖବର ଆସିବା ପରେ ସାରାଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସଂକ୍ରମଣକୁ ଦେଖି ସ୍ଥିିତିର ସମୀକ୍ଷା କରିବାକୁ ବୈଠକ ଡାକିଛନ୍ତିି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।ବୁଧବାର ସବୁ ରାଜ୍ୟ ସହ ଆଲୋଚନା କରିବେ । ଏପଟେ ରାଜ୍ୟ ସରକାର ଆଗୁଆ ସଚେତନ ହୋଇଛନ୍ତି । ବଡଦିନ ଓ ନୂଆବର୍ଷ ପାଳନବେଳେ ସଚେତନ ରହିବାକୁ ସତର୍କ କରାଇ ଦେଇଛନ୍ତି । ଏମିତି କି ଥଣ୍ଡା କାଶ ହେଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ସ୍ଥିତି ଦେଖି ନୂଆ ଗାଇଡ ଲାଇନ ଫେରି ପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଗାଇଡ ଲାଇନ ପରେ ସବୁ ହସ୍ପିଟାଲରେ ଭିତିଭୂମିକୁ ସଜାଡିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନମୂନା ପରିକ୍ଷାକୁ ବଢାଇ ଦିଆଯାଇଛି । ପଜିଟିଭ୍ ନମୁନାକୁ ଜିନମସିକ୍ୟୁଏନସିଂ ପାଇଁ ପଠାଇବାକୁ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

ବିଶେଷ କରି ବୟସ୍କ ଓ ଶିଶୁ ବର୍ଗଙ୍କୁ ଆକ୍ରାନ୍ତ କରିବାର ଅଧିକ ସମ୍ଭାବନା ରହିଛି । ତେଣୁ ଗହଳିକୁ ଗଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ପାଳନ କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
ପୂର୍ବରୁ କୋଭିଡର ଭୟାବହତା ବିଶ୍ୱ ଦେଖି ସାରିଛି । ତେବେ କୋଭିଡ୍ ଭୂତାଣୁର ଏହି ନୂଆ ପ୍ରଜାତି କେତେ ସଂକ୍ରାମକ, କେତେ ମାରତ୍ମକ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।