ଖସୁଛି କରୋନା ମିଟର । ୯ ହଜାର ତଳେ ରହିଛି ଦୈନିକ ସଂକ୍ରମଣ

86

କନକ ବ୍ୟୁରୋ: ଆଜି ଦେଶରେ ଦୈନିକ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ ହଜାର ୮୧୩ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୯ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ବିଶେଷ କଥା ହେଉଛି ଯେ ଜୁନ୍ ୧୫ ପରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୯ ହଜାରରୁ କମ୍ ରହିଛି । ନୂତନ ପଜିଟିଭଙ୍କୁ ମିଶାଇଲେ ଭାରତରେ ଏପର୍ୟ୍ୟନ୍ତ ୪ କୋଟି ୪୨ ଲକ୍ଷ ୭୭ ହଜାର ୧୯୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ଏମାନଙ୍କ ମଧ୍ୟରୁ ୫ ଲକ୍ଷ ୨୭ ହଜାର ୦୯୮ ଜଣଙ୍କର ଜୀବନ ଚାଲିଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ମଙ୍ଗଳବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୮,୮୧୩ଟି କରୋନାଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୨୯ ମୃତ୍ୟୁ ରେକର୍ଡ କରାଯାଇଛି। ସୂଚନା ଥାଉ କି ଗତକାଲି ୧୪,୯୧୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଗତକାଲି କୋଭିଡ ଯୋଗୁଁ ୩୨ ଜଣଙ୍କର ମୃତ୍ୟୁ ହୋଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୦୮,୩୧,୨୪,୬୯୪ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ୨,୧୨,୧୨୯ଟି ନମୁନା ପରୀକ୍ଷା କରାଯାଇଛି।