କୋରାପୁଟର ତୁଳା ପରିଜାଙ୍କ ସଂଘର୍ଷର କାହାଣୀ : କୁଲିରୁ ବିୟୁଟିସିଆନ୍ ହେଲେ ଆଦିବାସୀ ମହିଳା

545
କନକ ବ୍ୟୁରୋ : ବିଜୟା ଦଶମୀରେ ଆଉ ଜଣେ ଦୁର୍ଗାଙ୍କ କାହାଣୀ । ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କ ପରି ଶକ୍ତିମୟୀ, ସ୍ଥିର, ଅଟଳ ଓ ଦୃଢ଼ମନା । ଆମେ କହୁଛୁ ଏପରି ଜଣେ ମହିଳାଙ୍କ କଥା । ଯିଏ ସଂଘର୍ଷ କରି ସଫଳ ହୋଇଛନ୍ତି । କଠିନ ପରିଶ୍ରମ କରି କୁଲିରୁ ବିୟୁଟିସିଆନ୍ ହୋଇପାରିଛନ୍ତି କୋରାପୁଟ ଜିଲ୍ଲାର ତୁଳା ପରିଜା । ଅଭାବ କେବେ ତାଙ୍କ ସଫଳତା ରାସ୍ତାରେ ବାଟ ଓଗାଳପାରିନି । ନିଷ୍ଠା ଓ ଅଦମ୍ୟ ଆତ୍ମବିଶ୍ୱାସରେ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି ମଣିଷ । ପ୍ରତିକୂଳ ପରିସ୍ଥିତିରେ ହାରନମାନି ଧୈର୍ଯ୍ୟ ଆଉ କଠିନ ପରିଶ୍ରମ କରି ସଫଳ ହେବାସହ ଆଦିବାସୀ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ସଂଘର୍ଷର ଅନ୍ୟ ନାମ ତୁଳା ପରିଜା । କୋରାପୁଟ ମ୍ୟୁନିସିପାଲଟି ଅନ୍ତର୍ଗତ ରଙ୍ଗବାଲି କୁମ୍ଭା ଗ୍ରାମରେ ତୁଳା ପରିଜାଙ୍କ ଘର । ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ । ଅତି କଷ୍ଟରେ କଟିଛି ପିଲାଦିନ । ଖାଇବା ମୁଠାକ ପାଇଁ ବାପା ମା’ ପର ଘରେ ମୂଲ ଲାଗୁଥିଲେ । ଖେଳକୁଦ ଛାଡ଼ି ପେଟର ଭୋକ ମାରିବା ପାଇଁ ସେ ମଧ୍ୟ ୧୨ ବର୍ଷ ବୟସରୁ କୁଲି କାମ କରୁଥିଲେ । କିଛି ବର୍ଷ କୁଲି କାମ କରିବା ପରେ ଜଣେ ମହିଳାଙ୍କ ଘରେ ବାସନ ମାଜିବା ଆରମ୍ଭ କରିଥିଲେ । ସୌଭାଗ୍ୟବଶତଃ ଯେଉଁ ମହିଳାଙ୍କ ଘରେ ସେ କାମ କରୁଥିଲେ, ସେ ଜଣେ ବିୟୁଟିସିଆନ ଥିଲେ । ବାସନ ମାଜୁଥିଲେ ବି ସମସ୍ତ କାମକୁ ସେ ନିରେଖି ଦେଖୁଥିଲେ । ତୁଳାଙ୍କ ଆଗ୍ରହ ଦେଖି ବିୟୁଟିସିଆନ୍ ତାଙ୍କୁ କାମ ଶିଖାଇଥିଲେ । ମାତ୍ର ୨୫୦ ଟଙ୍କା ପାରିଶ୍ରମିକରେ କାମ ଆରମ୍ଭ କରିଥିଲେ । ତେବେ ଏସବୁ ଭିତରେ ନିଜେ କିଛି କରିବାର ଆଶା ରଖି ୧୦,୦୦୦ ଟଙ୍କା ଉଧାର ଆଣି ନିଜର ଏକ ବିୟୁଟି ପାର୍ଲର ଆରମ୍ଭ କରିଥିଲେ ତୁଳା  । ତା’ ପରଠାରୁ ତାଙ୍କ ଜୀବନର ଗତିପଥ ସମ୍ପୂର୍ଣ୍ଣ ବଦଳିଗଲା । ସେ ଆଉ ପଛକୁ ଫେରି ଚାହିଁନାହାନ୍ତି ।
ଏବେ ପ୍ରତିଦିନ ଅନେକ ଲୋକ ତାଙ୍କ ବିୟୁଟି ପାର୍ଲରକୁ ଆସୁଛନ୍ତି । ନିଜେ ରୋଜଗାର କରି ସ୍ୱାମୀଙ୍କୁ ଘର ଚଳାଇବାରେ ସାହାଯ୍ୟ କରୁଛନ୍ତି ।  ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ବୋଲି ପ୍ରମାଣିତ କରିଛନ୍ତି ପ୍ରମାଣିତ କରିଛନ୍ତି ତୁଳା । ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନ୍ୟ ଆଦିବାସୀ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତେବେ କିଛି ସରକାରୀ ସାହାଯ୍ୟ ମିଳିଲେ ପାର୍ଲର ବୃଦ୍ଧି କରିପାରନ୍ତେ ବୋଲି  ସେ କହିଛନ୍ତି ।