ବିଜୟା ଦଶମୀରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ : ନୂଆ ଲୁଗା ଓ ଜାମା ଲାଗି ପରେ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ମହାପ୍ରଭୁ,ଦୁର୍ଲଭ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ

206
କନକ ବ୍ୟୁରୋ : ଆଜି ବିଜୟା ଦଶମୀରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନା ବେଶ ହୋଇଛି । ସୁନାେବେଶ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଗହଳି ହୋଇଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରାଯାଇଛିି ।

ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ସୁନା ବେଶ କରାଯାଇଛି । ନୁଆ ଲୁଗା ଓ ଜାମା ଲାଗି ପରେ କିରିଟି,  ଚୂଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ହରିଡା ମାଳ ଓ ତବିଜ ମାଳ ଆଦି ସ୍ୱର୍ଣ୍ଣ ଅଳଙ୍କାରରେ  ବିଭୂଷିତ କରାଯାଇଛି । ସକାଳ ଧୂପ ନୀତି ଶେଷ ହେବା ପରେ ଚକ୍ର ମାଜଣା ହୋଇଛି । ଆୟୁଧ ପୂଜା ହେବା ସହ ବେଢା ପରିକ୍ରମା ପରେ ମହାପ୍ରଭୁ ଆୟୁଧ ହସ୍ତରେ ଧରିଥିଲେ ।

ମଙ୍ଗଳାପଣ ନୀତି ପରେ ଦୁର୍ଗାମାଧବ, ମଦନମୋହନ ଓ ରାମକୃଷ୍ଣ ଆଜ୍ଞାମାଳ ପାଇଁରଥ, ବିମାନ ଓ ପାଲଙ୍କିରେ ବିଜେ କରି ଜଗନ୍ନାଥ ବଲ୍ଲଭ ଦଶହରା ପଦାକୁ ବିଜେ କରିଛନ୍ତି । ଦଶହରା ଦିନ  ମହାପ୍ରଭୁ୍ଙ୍କ ସୁନା ବେଶକୁ ଭକ୍ତ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।