ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବିବାଦ । ପଢନ୍ତୁ, କଣ କହିଲେ ଗଜପତି ମହାରାଜ

674

କନକ ବ୍ୟୁରୋ: ଇସ୍କନର ଅଦିନିଆ ରଥଯାତ୍ରା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ । କହିଛନ୍ତି, ଅସମୟରେ ରଥଯାତ୍ରା କରୁଥିବା ଲୋକମାନେ ଆସ୍ତେ ଆସ୍ତେ ବାଟକୁ ଆସୁଛନ୍ତି । ତେବେ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟାରୁ ତ୍ରୟୋଦଶୀ, ମହାପ୍ରଭୁଙ୍କ ଯାତ୍ରା ସମୟରେ ରଥଯାତ୍ରା ହୋଇପାରିବ ବୋଲି ସେ କହିଛନ୍ତି । ଶ୍ରୀକ୍ଷେତ୍ରରେ ମହାପ୍ରଭୁ ସିଂହାସନ ଆରୋହଣ ପରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ୨୦ ତାରିଖରେ ରଥଯାତ୍ରା ହେଉଥିବା ବେଳେ ଇସ୍କନ ପକ୍ଷରୁ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଆସନ୍ତା ୨୪ତାରିଖରେ ରଥଯାତ୍ରା କରିବା ପାଇଁ ପ୍ରସ୍ତୁତି ଚାଲିଛି । ଇସ୍କନ ପକ୍ଷରୁ ଏହି ରଥଯାତ୍ରା ପାଳନ ନେଇ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ପୂର୍ବରୁ ୧୮ ତାରିଖ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା, କୌଣସି କାରଣବଶତଃ ଏହାକୁ ୨୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମନ୍ଦିରର ସେବାୟତ । ଏହି ବିବାଦ ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ।

ଅନ୍ୟପଟେ ପୁରୀରେ ମହାପ୍ରସାଦ ନାଁରେ ଠକେଇ ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । କହିଛନ୍ତି, ଏହା କଳିଯୁଗର ପ୍ରଭାବ । ମହାପ୍ରସାଦ ଶ୍ରୀମନ୍ଦିର ବାହାରେ ହୋଇପାରିବ ନାହିଁ । ଏହା ପରମ୍ପରା ଏବଂ ସଂସ୍କୃତି ବାହାରେ । ପ୍ରଶାସନ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ପୁରୀରେ ମହାପ୍ରସାଦ ନାଁରେ ଠକେଇ ଅଭିଯୋଗ ଘଟଣାରେ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି । ନକଲି ଅବଢ଼ା ରୋଷେଇ ବାସେଳି ସାହି ଅଞ୍ଚଳରେ ହୋଇଥିବାରୁ ଏହି ଥାନାରେ ଅଭିଯୋଗ ହୋଇଛି । ଅଣବସର ତ୍ରୟୋଦଶୀ ତିଥିରେ ଅବଢ଼ା ବାହାରିବାରେ ବିଳମ୍ବର ହେଉଥିବାରୁ ଏହାର ଫାଇଦା ନେଉଛନ୍ତି କିଛି ଅସାଧୁ ବ୍ୟକ୍ତି । ବାହାରେ ରୋଷେଇ କରି ମହାପ୍ରସାଦ ନାଁରେ ଲୋକଙ୍କୁ ବିକ୍ରି କରି ଠକେଇ କରୁଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଗଜପତି ମହାରାଜ ପ୍ରତିକ୍ରିୟା ରଖିଛନ୍ତି ।