ସୁନ୍ଦରଗଡରେ ସରୁନି କୋଲ-କରିଡର ରାସ୍ତା ନିର୍ମାଣ: ଡେଭିଏସନ୍ ମଞ୍ଜୁରୀ ମିଳୁନଥିବାରୁ ଅଧାରେ ଅଟକିଛି କାମ

154

କନକ ବ୍ୟୁରୋ: କେବେ ସରିବ ଖଣି ଅଂଚଳବାସୀଙ୍କ ଦୁଃଖ । କୋଲ-କରିଡର ପାଇଁ ସଚିବ ଦେଉନାହାନ୍ତି ଡେଭିଏସନ ମଞ୍ଜୁରୀ । ତେଣୁ ବର୍ଷ ବର୍ଷ ଧରି ଗାଁ ରାସ୍ତାରେ ଗଡୁଛି ୧୮ ଚକିଆ କୋଇଲା ବୋଝୋଇ ଟ୍ରଲର । ଏମିତି ଅଭିଯୋଗ କରି ଆଜି ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ଶହଶହ ଗ୍ରାମବାସୀ । ୧୯୯୭ରୁ ସୁନ୍ଦରଗଡ ହେମଗିରି ବ୍ଲକରେ ଏମସିଏଲ କୋଇଲା ଖଣି ଆରମ୍ଭ ହେବା ଠାରୁ ଆଜି ପର୍ଯ୍ୟନ୍ତ ପି.ଡବ୍ଲ୍ୟୁ.ଡିର ରାସ୍ତା ଦେଇ କୋଇଲା ପରିବହନ ହେଉଛି । ଶହଶହ କୋଇଲା ବୋଝେଇ ଟ୍ରକ ଗାଁ ମଝିରେ ଯା’ଆସ କରୁଛି । ଗାଁ ରାସ୍ତାରେ କୋଇଲା ପରିବହନ ବନ୍ଦ କରିବା ପାଇଁ ୨୦୨୦ରେ ସ୍ୱତନ୍ତ୍ର କୋଲ କରିଡର ରାସ୍ତା ନିର୍ମାଣ ପାଇଁ ଯୋଜନା ହେଲା । ଏମସିଏଲ ପକ୍ଷରୁ ୧୮୨ କୋଟି ଟଙ୍କା ପ୍ରଦାନ କରାଗଲା । ଜମି ଅଧିଗ୍ରହଣ ହୋଇ କାର୍ଯ୍ୟ ବି ଆରମ୍ଭ ହେଲା । ୨୦୨୩ ମାର୍ଚ୍ଚ ସୁଦ୍ଧା କୋଲ କରିଡର ରାସ୍ତା ତିଆରି କରିବା ପାଇଁ ସମୟ ଧାର୍ଯ୍ୟ କରାଗଲା । ହେଲେ ଏବେ ବି ଅଧାପନ୍ତରିଆ ହୋଇ ପଡିରହିଛି କାମ । କାରଣ ପୂର୍ତବିଭାଗ ସଚିବଙ୍କ ପାଖରେ ପଡିରହିଛି ଫାଇଲ୍ । ଡେଭିଏସନ ବା ରାସ୍ତାର ଦିଗ ପରିବର୍ତନ ନେଇ ମଞ୍ଜୁରୀ ନମିଳିବାରୁ ବାଙ୍କିବାହାଲରୁ ଭେଡାବାହାଲ ସ୍ୱତନ୍ତ୍ର କୋଲ-କରିଡର ରାସ୍ତା କାମ ଠପ୍ ହୋଇଯାଇଛି । ଆଉ ଅନ୍ୟପଟେ ଗାଁ ରାସ୍ତାରେ କୋଇଲା ପରିବହନ ହେବାରୁ ସବୁ ଦିନ ଅଘଟଣ ଘଟୁଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଆଜି ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଅତିଶୀଘ୍ର କୋଲ-କରିଡର ରାସ୍ତା କାମ ଶେଷ କରିବା ଦାବିରେ ଜିଲ୍ଲପାଳଙ୍କ ଅଫିସ ଘେରାଉ କରିଛନ୍ତି ।