ଖୋଲିଲା କଂଗ୍ରେସ ସ୍କୁଲ, ପାଠ ପଢାଇଲେ ନେତା ! ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ଅସ୍ଥାୟୀ ସ୍କୁଲ ।

34

କନକ ବ୍ୟୁରୋ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ସ୍କୁଲ ଖୋଲିଲା କଂଗ୍ରେସ । ଆସ୍ଥାୟୀ ବିଦ୍ୟାଳୟ ଖୋଲି ପିଲାଙ୍କୁ ପାଠ ପଢାଇଲେ କଂଗ୍ରେସ ନେତା । ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଂଚଳରେ ୨୦୦୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଜାତିଗତ ଓ ଆୟ ପ୍ରମାଣପତ୍ର ନପାଇ ସ୍କୁଲରେ ଆଡମିଶନ୍ ନେଇ ପାରୁନଥିବା ଅଭିଯୋଗ କରିଛି କଂଗ୍ରେସ । ଆଉ ଅସ୍ଥାୟୀ ବିଦ୍ୟାଳୟ କରି ଅଭିନବ ପ୍ରତିବାଦ କରିଛି ଜିଲ୍ଲା କଂଗ୍ରେସ କମିଟି । ଦାବି ପୂରଣ ନହେବା ଯାଏଁ ପ୍ରତିବାଦ ଜାରି ରହିବ ବୋଲି ଚେତାଇ ଦେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।

କିଏ ସିଲଟ ଖଡି ଧରି ଅ ଆ ଲେଖୁଛି ତ ଆଉ କିଏ ବହି ଧରି ପାଠ ପଢୁଛି । ଏଘଟଣା କୌଣସି ସରକାରୀ କିମ୍ବା ବେସରକାରୀ ସ୍କୁଲର ନୁହେଁ । ଏହା ହେଉଛି ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସ ଖୋଲିଥିବା ଅସ୍ଥାୟୀ ବିଦ୍ୟାଳୟ । ଯେଉଁଠି ଛାତ୍ରଛାତ୍ରୀ ସାଜିଛନ୍ତି ମାଲକାନଗିରି ଚିତ୍ରକୋଣ୍ଡା ଅଂଚଳର ପ୍ରାୟ ୨୦୦ ରୁ ଅଧିକ କୁନି କୁନି ପିଲା । ଆଉ ପାଠ ପଢାଉଛନ୍ତି ଦଳ ପକ୍ଷରୁ ନିଯୁକ୍ତ କିଛି ଅବସରପ୍ରାପ୍ତ ଶିକ୍ଷକ । ଜାତିଗତ ଓ ଆୟ ପ୍ରମାଣପତ୍ର ନପାଇ ସରକାରୀ ସ୍କୁଲରେ ନାମ ଲେଖାଇ ପାରୁନଥିବା ଛାତ୍ରଛାତ୍ରୀଙ୍କୁ କଂଗ୍ରେସ କରିଛି ଏହି ଅଭିନବ ପ୍ରତିବାଦ ।

ଜାତିଗତ ଓ ଆୟ ପ୍ରମାଣପତ୍ର ନଥିବାରୁ ଶିକ୍ଷାଲାଭ ପରି ମୌଳିକ ଅଧିକାରରୁ ବଂଚିତ ହେଉଛନ୍ତି ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳର ୨ ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ । ଯେଉଁଥି ପାଇଁ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକଙ୍କୁ ଆନ୍ଦୋଳନରେ ସାମିଲ କରିଛି କଂଗ୍ରେସ । ମାଲକାନଗିରି ସହରାଂଚଳ ଓ ଗ୍ରାମାଂଚଳର ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ ସହ କିସରୁ ନିଖୋଜ ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା ଓ ବାଂଲାଦେଶରେ ନିଖୋଜ ଯୁବତୀ ଲକ୍ଷ୍ମୀ ମାଟାମଙ୍କୁ ଉଦ୍ଧାର ପରି ୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଦଳ ।

ଜିଲ୍ଲାପାଳ ଅଫିସ ସାମନାରେ ଏହି ଅଭିନବ ପ୍ରତିବାଦର ନେତୃତ୍ୱ ନେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ପିଲାଙ୍କୁ ବହି ଖାତା ସିଲଟ ବାଂଟିବା ସହ ଅସ୍ଥାୟୀ ସ୍କୁଲରେ ନିଜେ ଶିକ୍ଷକ ସାଜି ପାଠ ମଧ୍ୟ ପଢାଇଛନ୍ତି । ପଡୋଶୀ ସୁକୁମା ବିଧାୟକ ବି ଏଥିରେ ସାମିଲ ହୋଇଛନ୍ତି । ଆଉ ଦାବି ପୂରଣ ନହେବା ଯାଏଁ ଏହି ପ୍ରତିବାଦ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା ।