ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ୩ ଯୁବକ, ସେଲଫି ନେବାରେ ବ୍ୟସ୍ତ ଥିଲେ ଲୋକେ । ଆଉ ତା ପରେ…

31

ଦିନକୁ ଦିନ ମରିଯାଉଛି ମାନବିକତା । ଦେଶର ଯୁବଗୋଷ୍ଠୀଙ୍କୁ ସେଲଫି ନିଶା ଏତେ ଘାରିଛି ଯେ, ମଣିଷ ଜୀବନ ମଧ୍ୟ ଏମାନଙ୍କ ସେଲଫି ନିଶା ଆଗରେ ତୁଚ୍ଛ ହୋଇଯାଉଛି । ସେଲଫି ନିଶା ପାଇଁ ପ୍ରତିଦିନ କେଉଁଠି ନା କେଉଁଠି ମଣିଷର ଜୀବନ ଯାଉଥିବାର ଘଟଣା ସାମ୍ନାକୁ ଆସୁଛି । ଆଉ ଏଭଳି ଏକ ସମ୍ବେଦନଶୀଳ ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି । ରାଜସ୍ଥାନର ବାଡମେର ଜିଲ୍ଲାରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ଯୁବକ ଚିକ୍ରାର କରି ସାହାର୍ଯ୍ୟ ମାଗୁଥିଲେ ମଧ୍ୟ ବିବେକହୀନ ମଣିଷଙ୍କ ହୃଦୟ ଟିକିଏ ମଧ୍ୟ ତରଳି ନଥିଲା । ସାହାଯ୍ୟ କରିବା ବଦଳରେ ୩ ଯୁବକଙ୍କ ସହ ସେଲଫି ନେବାରେ ବ୍ୟସ୍ତ ଥିଲେ ଉପସ୍ଥିତ ଲୋକେ । ଆଉ ଠିକ୍ ସମୟରେ ହସ୍ପିଟାଲ ପହଞ୍ଚି ନ ପାରିବାରୁ ୩ ଯୁବକଙ୍କ ଜୀବନ ଦୀପ ଲିଭି ଯାଇଥିଲା ।

ଏଭଳି ଏକ ସମ୍ବେଦନଶୀଳ ଘଟଣା ମଙ୍ଗଳବାର ଦେଖିବାକୁ ମିଳିଛି । ଦୁର୍ଘଟଣାର ଶିକାର ହୋଇଥିବା ତିନି ଲୋକ ବାଇକରେ ଯାଉଥିବା ବେଳେ ଏକ ସ୍କୁଲ ବସ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକମାନଙ୍କର ଭିଡ ଜମିଥିଲା । କିନ୍ତୁ ଆହତ ହୋଇଥିବା ୩ ଯୁବକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଲୋକମାନେ ସେମାନଙ୍କ ସହ ସେଲଫି ନେବାରେ ବ୍ୟସ୍ତ ରହିଥିଲେ । ୩ ଜଣ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ସାହାଯ୍ୟ ପାଇଁ ଚିକ୍ରାର କରୁଥିବା ବେଳେ ଲୋକମାନେ ତାଙ୍କ ଭିଡିଓ କରିବାରେ ବ୍ୟସ୍ତ ଥିଲେ । କେହି ଜଣେ ସୁଦ୍ଧା ସେମାନଙ୍କୁ ହସ୍ପିଟାଲ ନେବାକୁ ଚିନ୍ତା କରିନଥିଲେ । ଆଉ ସାହାଯ୍ୟ ନ ପାଇ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ୩ ଯୁବକ ।

୩ ଜଣ ଯୁବକ ପୂର୍ବରୁ ଦିନ ମଜୁରିଆ ଭାବରେ ଗୁଜରାଟରେ କାମ କରୁଥିଲେ । ତେବେ ମାତ୍ର ଦୁଇ ଦିନ ପୂର୍ବେ ସେମାନେ କାମ ଅନ୍ୱେଷଣରେ ବାଡମେରରେ ପହଞ୍ଚିଥିଲେ । ଏହାପୂର୍ବରୁ ମଧ୍ୟ ଦେଶରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯେଉଁଠି ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସେଲଫି ଉଠାଇ ମଜା ନେଉଥିଲେ । ଆଉ ଏହିସବୁ ଘଟଣା ସୂଚାଇ ଦେଉଛି ଯେ, ଭାରତରେ ଦିନକୁ ଦିନ ମାନବିକତା ମରି ମରି ଯାଉଛି ।