5T ସଚିବଙ୍କ ବିରୋଧରେ ଦିଲ୍ଲୀ ଗଲେ ବିଜୟ । ସଚିବଙ୍କ ଗସ୍ତକୁ ନେଇ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ।

6,403

କନକ ବ୍ୟୁରୋ: ଫାଇଭ୍-ଟି ସଚିବଙ୍କ ବିରୋଧରେ ଦିଲ୍ଲୀ ଗଲେ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗକୁ ଚିଠି ଲେଖି ଅଭିଯୋଗ କଲେ ବିଜୟ । ସଚିବ ଆଇଏଏସ କଣ୍ଡକ୍ଟ ରୁଲର ଉଲ୍ଲଂଘନ କରୁଛନ୍ତି । ତାଙ୍କ ଗସ୍ତକୁ ନେଇ ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଦାବି ଜଣାଇଛନ୍ତି ବିଜୟ ।

୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲା କଂଗ୍ରେସ । ବାସ୍ତବରେ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ? ସଚିବ ବିଭିନ୍ନ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତଠାରୁ ଅଧିକ ଭଲ ଆୟୋଜନ କରାଯାଉଛି । ସରକାରୀ କାମ ପାଇଁ ଲୋକପ୍ରତିନିଧିଙ୍କୁ ନିୟୋଜିତ ନ କରି ଜଣେ ସଚିବଙ୍କୁ କିପରି ନିୟୋଜିତ କରାଯାଉଛି? ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ ।

ପୂର୍ବରୁ ଫାଇଭ-ଟି ସଚିବଙ୍କ ବିରୋଧରେ ବିଷ ଓଗାଳିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଫାଇଭ୍-ଟି ସଚିବ ବିଜେଡି ବ୍ୟାନରରେ ଯାହା କରିବା କଥା କରନ୍ତୁ ହେଲେ ଚାକିରି ଛାଡ଼ି କରନ୍ତୁ ବୋଲି ଖୋଲା ଖୋଲା ଏକ ସାକ୍ଷାତକାରରେ କହିଥିଲେ ଅପରାଜିତା ।

ସେହିଭଳି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ମଧ୍ୟ ବିଜୟଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି । କହିଛନ୍ତି, ଆଇଏଏସ କଣ୍ଡକ୍ଟ ରୁଲ କହୁଛି ଯେ କୌଣସି ଆଇଏଏସ ଅଧିକାରୀ ରାଜନୈତିକ ସଭା ସମିତିରେ ଭାଗ ନେଇପାରିବେନି । କିମ୍ବା କୌଣସି ସଚିବ ମନ୍ତ୍ରୀର କାର୍ଯ୍ୟ କରିପାରିବେନି । ଗତକାଲିର ଅଡ଼ିଓ ବାର୍ତ୍ତା ନେଇ ମଧ୍ୟ କଟାକ୍ଷ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ । କହିଛନ୍ତି, କୌଣସି ଆଇଏଏସଙ୍କୁ ମୁଖ୍ୟମନ୍ତ୍ରୀ ବାବୁ ବୋଲି କୁହନ୍ତି ନାହିଁ । ହେଲେ ଅଡ଼ିଓରେ କେମିତି କହିଲେ?