ପଞ୍ଜାବ କଂଗ୍ରେସକୁ ବଡ ଝଟକା, ଅମିତ ଶାହାଙ୍କ ଉପସ୍ଥିିିତିରେ ବିଜେପିରେ ଯୋଗ ଦେଲେ ୫ ବଡ ନେତା

138

କନକ ବ୍ୟୁରୋ : କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି ୫ ଜଣ ବରିଷ୍ଠ କଂଗ୍ରେସ ନେତା । ଶନିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ କଂଗ୍ରେସର ୪ ଜଣ ବରିଷ୍ଠ ନେତା ଓ ଜଣେ ପୂର୍ବତନ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରେ ରହିଛନ୍ତି ରାଜକୁମାର ବେରକା, ବଲବୀର ସିଂ, ସୁନ୍ଦର ଶାମ୍ ଆରୋଡା ଓ ଗୁରପ୍ରିତ ସିଂ କାଙ୍ଗଡା । କେବଳ ଏତିକି ନୁହେଁ ବରନାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ କେବଲ ଟିଲୋ ଓ ଶିରୋମଣୀ ଅକାଳୀଦଳର ପୂର୍ବତନ ବିଧାୟକ ସରୂପ ଚନ୍ଦ ସିଂଗଲା ଓ ମହିନ୍ଦର କୌର ବି ବିଜେପିରେ ସାମିଲ ହୋଇଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଚଣ୍ଡିଗଡ ଗସ୍ତ ସମୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ରାଜ୍ୟ ବିଜେପି ପ୍ରମୁଖ ଅଶ୍ୱନୀ ଶର୍ମା ଓ ସୁନିଲ ଝାକଡ ପ୍ରମୁଖ ଉପସ୍ଥିତ ଥିଲେ ।

 

ବିଜେପିରେ ସାମିଲ ହେବା ପରେ ବଲବୀର ସିଂ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଥିଲେ କି ସେ ୩୦ ବର୍ଷ ହେବ କଂଗ୍ରେସରେ ରହିଥିଲେ । ଦଳ ପାଇଁ ସେ ଅନେକ ତ୍ୟାଗ କରିଥିଲେ ବି ଦଳ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇ ନଥିବାରୁ ସେ ଦଳ ଛାଡିଥିବା କଥା କହିଛନ୍ତି । ସେପଟେ ବଲବୀର ସିଂ ସିଦ୍ଧୁଙ୍କ ଭାଇ ତଥା ମୋହାଲୀର ପୌରାଧ୍ୟକ୍ଷ ଅମରଜିତ ସିଂ ବି ଆଜି ବିଜେପିରେ ସାମିଲ ହୋଇଛନ୍ତି ।