ମହାରାଷ୍ଟ୍ରରେ ବିଜେପି-ଶିବସେନା ବିବାଦ ଭିତରେ ଶୁକ୍ରବାର ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନଭିସ୍ । କଥା କଟାକଟି ସତ୍ୱେ ସରକାରରେ ଯୋଗ ଦେଇପାରେ ଶିବସେନା

854

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବିଜେପି-ଶିବସେନା ବିବାଦ ଭିତରେ ଶୁକ୍ରବାର ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନଭିସ୍ । ବିଜେପିର ବରିଷ୍ଠ କର୍ମକର୍ତାଙ୍କ ସୂଚନା ଅନୁଯାୟୀ ଆସନ୍ତା ୩୧ ତାରିଖ କିମ୍ବା ନଭେମ୍ବର ୧ ତାରିଖରେ ଫଡନଭିସ୍ ଶପଥ ନେଇପାରନ୍ତି । ଏବଂ କଥା କଟାକଟି ସତ୍ୱେ ଶିବସେନା ସରକାରରେ ଯୋଗ ଦେବେ ବୋଲି ଆଶା ରଖିଛି ବିଜେପି । ଆଉ ଏହାରି ଭିତରେ ଆଜି ବିଜେପି ବିଧାୟକ ଦଳ ବୈଠକ ବସିବ । ସେପଟେ ୫୦-୫୦ ଫର୍ମୁଲାରେ ଅଟଳ ରହିଛି ସେନା । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଫିପଟି ଫିପଟି ଫର୍ମୂଲାକୁ ଅଗ୍ରାହ୍ୟ କରିବା ସହ କହିଛନ୍ତି ସେ ହିଁ ମୁଖ୍ୟମନ୍ତ୍ରୀ ହେବେ । ଏହାପରେ ଶିବସେନା ବିକଳ୍ପ ଥିବା ନେଇ ଚେତାବନୀ ଦେବା ପରେ ବିଜେପି ପାଲଟା ଜବାବ ଦେଇ କହିଛି ୪୫ ଶିବସେନା ବିଧାୟକ ବିଜେପି ସଂପର୍କରେ ଅଛନ୍ତି ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସହ ୫୦-୫୦ ଫର୍ମୁଲାରେ ସରକାର ଗଠନ ପାଇଁ କଥାବାର୍ତା ହୋଇଥିବା କହିଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଏହି ଫର୍ମୁଲା ଅନୁସାରେ ଅଢ଼େଇ ବର୍ଷ ବିଜେପି ଓ ଅଢ଼େଇ ବର୍ଷ ଶିବସେନା ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଦାବି କରିଛି ଶିବସେନା । ହେଲେ ଶିବସେନାର ଏହି ଫର୍ମୁଲାରେ ରାଜି ହୋଇନି ବିଜେପି । ନିର୍ବାଚନ ପୂର୍ବରୁ ଏଭଳି କୌଣସି କଥାବାର୍ତ ହୋଇଥିବା କଥାକୁ ଖଣ୍ଡନ କରିଛନ୍ତି ବିଜେପି ନେତା । ତେବେ ଅମିତ୍ ଶାହାଙ୍କ ସହ ଉଦ୍ଧବ ଠାକରେଙ୍କ ଆଲୋଚନା ପରେ ନିଷ୍କର୍ଷ ବାହାରିବ ବୋଲି କୁହାଯାଉଥିଲା । ହେଲେ ଗତକାଲି ଏହି ଆଲୋଚନା ବାତିଲ ହୋଇଥିଲା ।