କୁହୁଡି ରୋକୁଛି ଥଣ୍ଡା ! ଗତ ଦୁଇ ଦିନ ହେଲା କୁହୁଢି ବଳୟରେ ରାଜ୍ୟର ଅନେକ ସ୍ଥାନ ।

94

କନକ ବ୍ୟୁରୋ : କୁହୁଡି ଯୋଗୁ ଥଣ୍ଡା କମିଛି । ତାପମାତ୍ରା ବଦଳିବା ଯୋଗୁ ଏପରି ସ୍ଥିତି ଉପୁଜିଛି । ରାଜ୍ୟର ଅନେକ ଅଂଚଳରେ କୁହୁଡି ଦେଖାଦେଇଛି । ଜନଜୀବନ ପ୍ରଭାବିତ ହୋଇଛି । ରାଜ୍ୟର ଅନେକ ସ୍ଥାନରେ ଗତ ଦୁଇଦିନ ହେଲା କୁହୁଡ଼ି ସୃଷ୍ଟି ହେଉଛି। ଏହାର ପ୍ରଭାବରେ ପାରଦ ଆଉ ତଳକୁ ଖସୁନାହିଁ। ବରଂ ୧ରୁ ୨ଡିଗ୍ରୀ ଯାଏଁ ବଢ଼ିଛି। ଏହା ସତ୍ତ୍ୱେ ଥଣ୍ଡାର ଅନୁଭୂତି ଏକପ୍ରକାର ସ୍ଥିର। ୧୯ ତାରିଖରେ ଫୁଲବାଣୀ ଥିଲା ରାଜ୍ୟର ଶୀତଳତମ ସ୍ଥାନ। ସେଦିନ ସର୍ବନିମ୍ନ ତାପମାତ୍ରା ଥିଲା ୪.୫ ଡିଗ୍ରୀ, ଏହି ଶୀତ ଋତୁର ସବୁଠାରୁ କମ୍ ତାପମାତ୍ରା।

କିନ୍ତୁ ଏବେ ସେଠାରେ ଥିଲା ୫ ଡିଗ୍ରୀ ଏବଂ ଆଜି ରେକର୍ଡ ହୋଇଛି ୫.୭ ଡିଗ୍ରୀ ସେଲସିୟସ। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ରାଜ୍ୟରେ ହାରାହାରି ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଏବଂ ସର୍ବୋଚ୍ଚ ୨୭ ଡିଗ୍ରୀ । ଏଭଳି ଥଣ୍ଡା ଆସନ୍ତା ୨୭ ତାରିଖ ଯାଏଁ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସୂଚନାନୁସାରେ ଫୁଲବାଣୀରେ ବର୍ତମାନ ସ୍ୱାଭାବିକ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରହିବା କଥା। କିନ୍ତୁ ଏହାଠାରୁ କମ ରହିଛି। ଜିଲ୍ଲାର କିଛି ଏପରି ସ୍ଥାନ ରହିଛି ଯେଉଁଠି ଥଣ୍ଡା ପ୍ରଭାବରେ କାକରରେ ଧଳା ଆସ୍ତରଣ ଦେଖିବାକୁ ମିଳୁଛି। ସେସବୁ ସ୍ଥାନରେ ପାରଦ ୪ରୁ ୫ ଡିଗ୍ରୀ ହେଲେ ଏପରି ଦୃଶ୍ୟ ଦେଖିବାକୁ ମିଳିଥାଏ। କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଆସନ୍ତା ୨୮ ତାରିଖ ବେଳକୁ ଉତ୍ତର ପୁର୍ବ ଦିଗରୁ ପବନ ବହିବାର ସମ୍ଭାବନା ରହିଛି।
୧୦ ଡିଗ୍ରୀ କିମ୍ବା ତା’ ତଳେ ରହିଥିବା ସ୍ଥାନଗୁଡ଼ିକ ହେଉଛି ଦାରିଙ୍ଗିବାଡ଼ି୬ ଡିଗ୍ରୀ, କେନ୍ଦୁଝର୯ ଡିଗ୍ରୀ, ଭବାନୀପାଟଣା ୯.୫ ଡିଗ୍ରୀ, ସୁନ୍ଦରଗଡ଼, କୋରାପୁଟ୧୦ ଡିଗ୍ରୀ ।

ଏହି ସ୍ଥାନଗୁଡ଼ିକ ଛାଡ଼ିଦେଲେ ଅନୁଗୁଳରେ ୧୦.୬ ଡିଗ୍ରୀ, ବଲାଙ୍ଗୀରରେ ୧୧.୨ ଡିଗ୍ରୀ, ଝାରସୁଗୁଡ଼ା, ସମ୍ବଲପୁରରେ ୧୧.୫ ଡିଗ୍ରୀ, ସୋନପୁରରେ ୧୧.୬ ଡିଗ୍ରୀ, ବାଲେଶ୍ୱରରେ ୧୧.୯ ଡିଗ୍ରୀ, ଟିଟିଲାଗଡ଼ରେ ୧୨ ଡିଗ୍ରୀ, ମାଲକାନଗିରିରେ ୧୨.୪ ଡିଗ୍ରୀ, କଟକରେ ୧୩.୪ ଡିଗ୍ରୀ, ଭୁବନେଶ୍ୱରରେ ୧୪.୨ ଡିଗ୍ରୀ, ବାରିପଦାରେ ୧୪.୨ ଡିଗ୍ରୀ ରେକର୍ଡ ହୋଇଛି।