ଦିନେ ଥିଲେ ତାମିଲନାଡୁର କୋଟିପତି, ଆଜି ବରେଲିର ଭିକାରୀ ! ପରିବାର ସହ ମିଶାଇଲା ଆଧାର କାର୍ଡ । ଛଅମାସ ତଳେହୋଇଯାଇଥିଲେ ନିଖୋଜ ।
କନକ ବ୍ୟୁରୋ : ପରିସ୍ଥିତି ମଣିଷକୁ କେତେବେଳେ କେଉଁଛି ପହଂଚାଇବ କିଛି କହିହେବ ନାହିଁ । ଠିକ ଯେମିତ ତାମିଲନାଡୁର ଏହି ବ୍ୟକ୍ତିଙ୍କ କ୍ଷେତ୍ରରେ । ସରକାରଙ୍କ ଆଧାର କାର୍ଡ ପ୍ରବର୍ତ୍ତନକୁ ନେଇ ନାନା ବାଦାନୁବାଦ ଦେଖିବାକୁ ମିଳିଥିବା ବେଳେ ଉତ୍ତରପ୍ରଦେଶରେ ଏହି ଆଧାର କାର୍ଡ ହିଁ ଜଣେ କୋଟିପତି ଭିକାରିଙ୍କୁ ତାଙ୍କ ପରିବାର ସହ ଭେଟ କରାଇବାର ବିରଳ ଭୂମିକା ନେଇଛି। ଉତ୍ତର ପ୍ରଦେଶର ରାଏବରେଲି ଜିଲ୍ଲା ଅନ୍ତର୍ଗତ ରାଲପୁର ସହରରେ ଅତି ଦୟନୀୟ ଜୀବନ ବିତାଉଥିବା ଜଣେ ଭିକାରିଙ୍କ ପାଖରେ ଥିବା ଆଧାର କାର୍ଡରୁ ସେ ତାମିଲନାଡୁର ଅଧିବାସୀ ବୋଲି ଜଣାପଡ଼ିଛି। ତେବେ ତାଙ୍କ ପାଖରେ ଥିବା ଅନ୍ୟାନ୍ୟ କାଗଜପତ୍ରରୁ ସେ ଜଣେ କୋଟିପତି ବୋଲି ଜଣାପଡ଼ିବା ଖବର ଚର୍ଚ୍ଚାର ବିଷୟ ହୋଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ରାଲପୁର ସହରର ଅଙ୍ଗ୍ରୁମ ଆଶ୍ରମ ବିଦ୍ୟାଳୟର ସ୍ୱାମୀ ଭାସ୍କର ସ୍ୱରୂପଜୀ ମହାରାଜ ଗତ ୧୩ ତାରିଖରେ ତାଙ୍କ ଶିକ୍ଷାନୁଷ୍ଠାନ ପରିସରରେ ଜଣେ ଭିକାରିଙ୍କୁ ଦେଖିଥିଲେ। ଅତ୍ୟନ୍ତ ଦୁସ୍ଥ ଅବସ୍ଥାରେ ଥିବା ଭିକାରି ଜଣକ ଗଣ୍ଡେ ଖାଇବାକୁ ଯାହା ଇଚ୍ଛା କରିଥିଲେ। ସ୍ୱାମିଜୀଙ୍କ ନିର୍ଦ୍ଦେଶରେ ତାଙ୍କ ସହଯୋଗୀମାନେ ସଂପୃକ୍ତ ଭିକାରିଙ୍କୁ ସେଠାରୁ ନେଇ ଖାଇବାକୁ ଦେଇଥିଲେ। ପରେ ସ୍ୱେଚ୍ଛାସେବୀମାନେ ଭିକାରିଙ୍କ ବସ୍ତ୍ର ବଦଳାଇବା ସହ ଚୁଟି କାଟି ଗାଧୋଇବାକୁ ନେଇଥିଲେ। ତେବେ ସେତିକିବେଳେ ସଂପୃକ୍ତ ନିଃସ୍ୱ ଭିକାରିଙ୍କ ପାଖରୁ ଲୋଚାକୋଚା ହୋଇ ସାଇତା ଥିବା ଏକ ଆଧାର କାର୍ଡ ଏବଂ ଏକ ବ୍ୟାଙ୍କଜମାର ରସିଦ ମିଳିଥିଲା।
ଆଧାର କାର୍ଡ ପରିଚୟରୁ ସେ ତାମିଲନାଡୁର ତିରୁନେଲଭେଲି ସହରର ବାସିନ୍ଦା ମୁତ୍ତୈୟା ନାଦର ଏବଂ ସେ ଜଣେ କୋଟିପତି ବ୍ୟବସାୟୀ ବୋଲି ଜଣାପଡ଼ିଥିଲା। ସେହିପରି ତାଙ୍କ ପାଖରୁ ମିଳିଥିବା ରସିଦରୁ ଏକ କୋଟି ୬ ଲକ୍ଷ ୯୨ ହଜାର ୭୩୧ ଟଙ୍କାର ବ୍ୟାଙ୍କ ଜମା ରହିଥିବା ସ୍ପଷ୍ଟ ହୋଇଥିଲା। ସେହି ଠିକଣାରେ ଯୋଗାଯୋଗ ପରେ ନାଦରଙ୍କ ଝିଅ ଗୀତା ତାମିଲନାଡୁରୁ ଆସି ନିଜ ପିତାଙ୍କୁ ସାଙ୍ଗରେ ନେଇ ଫେରିଥିଲେ। ଗୀତାଙ୍କ କହିବା ଅନୁଯାୟୀ, ଛଅ ମାସ ତଳେ ରେଳଯାତ୍ରା ବେଳେ ତାଙ୍କ ବାପା ନିଖୋଜ ହୋଇଯାଇଥିଲେ।
ତାହା ପରଠାରୁ ନାଦର ମଧ୍ୟ ଘର ସହ କିଛି ଯୋଗାଯୋଗ କରିପାରିନାହାନ୍ତି। ଅବଶ୍ୟ ତାଙ୍କର କିଛି ମନେ ପଡୁନଥିବା ଜଣାଯାଇଛି। ଅପରପକ୍ଷେ, ନିଶା ବେପାରୀଙ୍କ ଉପଦ୍ରବରେ ତାଙ୍କ ବାପା ଏପରି ସ୍ମରଣଶକ୍ତି ହରାଇଥାଇ ପାରନ୍ତି ବୋଲି ଗୀତା ଆଶଙ୍କା କରୁଛନ୍ତି।