ଓଡିଶା ଆକାଶରେ ବାରମ୍ବାର ଠାବ ହେଉଛନ୍ତି ଚୀନ ପାରା: କେନ୍ଦ୍ରାପଡା, ପୁରୀ ଓ ସୁନ୍ଦରଗଡରୁ ଉଦ୍ଧାର ହେଲେଣି ୪ଟି ଗୁଇନ୍ଦା ପାରା

127

କନକ ବ୍ୟୁରୋ: ପାରାଦୀପରୁ ଉଦ୍ଧାର ପାରା ଡେଣାରେ ଚୀନ ଭାଷା ଲେଖାଯାଥିବା ଜଣାପଡିବା ପରେ ଓଡିଶା ଉପରେ ଚୀନର ଆଖି ନେଇ ସନ୍ଦେହ ବଢିବାରେ ଲାଗିଛି । କାରଣ ନିକଟରେ ଏହିଭଳି ୪ଟି ପାରା ଉଦ୍ଧାର ହେଲେଣି । ଆପଣଙ୍କ ଟିଭି ସ୍କ୍ରିନରେ ସେହିଭଳି ୪ଟି ପାରାଙ୍କ ଚିତ୍ର ରହିଛି । ଗତବର୍ଷ ଜାନୁଆରୀ ୩ ତାରିଖରେ ସୁନ୍ଦରଗଡ ଜିଲ୍ଲା କାଂଶବାହାଲ ଅଂଚଳର ସର୍ବେଶ୍ୱର ଛୋଟରାୟଙ୍କ ଘରୁ ଏକ ପାରା ମିଳିଥିଲା । ଯେଉଁ ପାରାର ଡେଣାରେ ଲେଖାଯାଇଥିଲା ଚୀନ ଭାଷା । ପରଦିନ ପୁରୀ ଜିଲ୍ଲା ମାଳତିପାଟପୁରରୁ ମିଳିଥିଲା ଆଉଏକ ପାରା । ଗୋଡରେ ଟ୍ୟାଗ ସହ ଦେହରେ କେମିକାଲ ବୋଳା ହୋଇଥିବା ସେତେବେଳେ ଜଣାପଡିଥିଲା । ସେହିଦିନ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଦଶିପୁର ଗାଁର ଜୀବନ ମାଝୀଙ୍କ ଘରୁ ଉଦ୍ଧାର ପାରା ଗୋଡରେ ବି ଟ୍ୟାଗ ଥିଲା । ଜାନୁଆରୀ ୫ ତାରିଖରେ ମହାକାଳପଡା ବତୀଘରର ରଞ୍ଜନ ଜାନାଙ୍କ ଘର ପାଖରେ ଦେଖାଯାଇଥିବା ପାରା ଗୋଡରେ ରହିଥିଲା ସନ୍ଦିଗ୍ଧ ଟ୍ୟାଗ୍ । ଏବେ ପୁଣି ଗତ ୬ ତାରିଖରେ ପାରାଦୀପ ସମୁଦ୍ରରେ ସାରଥୀ ବୋଟ୍ରୁ ମିଳିଥିବା ପାରାକୁ ରାଜ୍ୟ ଫରେନସିକ ଲ୍ୟାବରେ ଯାଂଚ କରାଯାଇଛି ।

କୋଣାର୍କ ସମୁଦ୍ର ଉପକୂଳର ୪୦ ନଟିକାଲ ମାଇଲ ଦୂର ସମୁଦ୍ରରେ ମାଛଧରା ବୋଟ୍ରୁ ଉଦ୍ଧାର ହୋଇଛି ଏହି ପାରା । ୨୦୧୨ରେ ମଧ୍ୟ କୋଣାର୍କ ଥାନା ପୋଲିସ ଏକ ହୁମର ପ୍ରଜାତିର ପାରାକୁ ଉଦ୍ଧାର କରିଥିଲା । ଯାହାର ଗୋଡରେ ଏକ ପ୍ଲାଷ୍ଟିକ କ୍ୟାପସୁଲରେ ଉର୍ଦ୍ଦୁ ଭାଷାରେ କିଛି ଲେଖାଯାଇଥିଲା ।

ପ୍ରତିରକ୍ଷା ଦୃଷ୍ଟିରୁ ଦୁଇଟି ଅତି ସମ୍ବେଦନଶୀଳ ଅଂଚଳ ଓଡିଶାରେ ରହିଛି । ସୁନାବେଡାରେ ଥିବା ମିଗ୍ ଇଂଜିନ ଫ୍ୟାକ୍ଟ୍ରି ଓ ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର ଘାଟି ଉପରେ ଚୀନ ଆଖି ପକାଇଥିବା ସନ୍ଦେହ ବଢିବାରେ ଲାଗିଛି । ଗୁଇନ୍ଦା ପାରା ଗୋଡରେ ଟ୍ରାନ୍ସମିଟର ଓ ଗୁପ୍ତ କ୍ୟାମେରା ଖଞ୍ଜି ବଙ୍ଗୋପସାଗରରେ ମଝି ସମୁଦ୍ରରୁ ଜାହାଜରୁ ଛାଡୁଥାଇ ପାରନ୍ତି ଚୀନର ଗୁପ୍ତଚର ସଂସ୍ଥା । ଏମାନେ ଓଡିଶା ଆକାଶରେ ଉଡି ବିଭିନ୍ନ ପ୍ରତିରକ୍ଷା ପ୍ରତିଷ୍ଠାନର ଫଟୋ ଉଠାଇବା ସହ ସୀମା ଆରପଟେ ବସିଥିବା ଏମାନଙ୍କ ହ୍ୟାଣ୍ଡଲରଙ୍କୁ ଯୋଗାଇ ଦେଉଛନ୍ତି । ପାରା ଓଡିଶା ସୀମାରେ ପଶିବା ପରେ ମୂଳ ସ୍ଥାନକୁ ଆଉ ଫେରି ପାରୁନଥିବାରୁ ଲୋକଙ୍କ ହାତରେ ଧରାପଡୁଛନ୍ତି । କେନ୍ଦ୍ରାପଡା, ପୁରୀ ଓ ସୁନ୍ଦରଗଡରୁ ବାରମ୍ବାର ଏହିଭଳି ଗୁଇନ୍ଦା ପାରା ଧରାପଡିବା ପରେ ଓଡିଶା ପୋଲିସର ଚିନ୍ତା ବଢିଯାଇଛି ।

କୁହାଯାଉଛି ୧୯୬୯ରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟରେ ଏକ ଚାଇନା ବେଲୁନ ଜବତ ହୋଇଥିଲା । ଏଥିରେ ଏକ ଛୋଟ ମେସିନ ଲାଗିଥିବାବେଳେ ସେତେବେଳେ ପୋଲିସ ହାତରେ ଲାଗିଥିଲା ।

ପାରାଦୀପ ସମୁଦ୍ରରେ ମାଛଧରା ବୋଟରୁ ଉଦ୍ଧାର ହୋଇଥିବା ଗୁଇନ୍ଦା ପାରାକୁ ନେଇ ଏବେ ଚିନ୍ତାରେ ପଡିଯାଇଛି ପୋଲିସ । କିଏ ଓ କେଉଁ ଉଦ୍ଦେଶ୍ୟରେ ପାରାଟିକୁ ପଠାଇଥିବା ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ପାରା ଗୋଡରେ ଖଞ୍ଜା ଯାଇଥିବା ସୋଲାର ପ୍ୟାନେଲ ଓ ଟ୍ରାନ୍ସମିଟର ସଂପର୍କିତ ତଥ୍ୟ ଜାଣିବା ପାଇଁ ଜୋରଦାର ଉଦ୍ୟମ କରୁଛି ପୋଲିସ । ପାରା ଦେହରୁ ଜବତ ଦୁଇ ଯନ୍ତ୍ରାଂଶକୁ କୋଲକାତା କିମ୍ବା ହାଇଦ୍ରାବାଦରେ ଥିବା ସିଏଫଏସଏଲକୁ ପଠାଇବାକୁ ପ୍ରୟାସ କରାଯାଉଛି ।