ଭାରତରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ଲି: ଆଲୋଚନା ପରେ ଏମିତି ଏମିତି କହିଲେ ଜୟଶଙ୍କର

174

କନକ ବ୍ୟୁରୋ: ଭାରତ ଗସ୍ତରେ ଚୀନ ବିଦେଶ ମନ୍ତ୍ରୀ । ଭାରତରେ ପହଁଚିବା ପରେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ଓ ଭାରତ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଭାରତ – ଚୀନ ମଧ୍ୟରେ ଥିବା ସୀମା ବିବାଦକୁ ନେଇ ଆଲୋଚନା ହୋଇଛି । ଯେଉଁ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଶେଷ ନ ହେଉଛି ସେ ପର୍ଯ୍ୟନ୍ତ ଭାରତ- ଚାଇନା ସମ୍ପର୍କରେ ସ୍ଥିରତା ଆସି ପାରିବ ନାହିଁ ବୋଲି କହିଛନ୍ତି ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ।

ଲଦାଖରେ ଭାରତ – ଚୀନ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷର ୨ ବର୍ଷ ପରେ ପ୍ରଥମ ଥର ଦୁଇ ଦେଶର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି । ଭାରତ ଗସ୍ତରେ ଆସିଥିବା ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ୩ ଘଂଟା ଧରି ଆଲୋଚନା କରିଛନ୍ତି ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ଚୀନ ବିଦେଶ ମନ୍ତ୍ରୀଙ୍କ ଗସ୍ତର ପ୍ରଥମ ଦିନରେ ନିଜର ପ୍ରତିପକ୍ଷ ନେତା ଏସ ଜୟଶଙ୍କରଙ୍କ ସହ ହାଇଦ୍ରାବାଦ ହାଉସରେ ଭେଟିଛନ୍ତି । ଏହା ପରେ ଦୁଇ ଦେଶର ପ୍ରତିନିଧମଣ୍ଡଳୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି । ଏସ. ଜୟଶଙ୍କରଙ୍କୁ ଭେଟିବା ପୂର୍ବରୁ ଚୀନ ବିଦେଶ ମନ୍ତ୍ରୀ ଭାରତର ଜାତୀୟ ସୁରକ୍ଷା ପର୍ରାମଶଦାତା ଅଜିତ ଡୋଭାଲଙ୍କୁ ସାଉଥ ବ୍ଲକରେ ଭେଟିଥିଲେ ।

ଚୀନ ବୈଦେଶିକମନ୍ତ୍ରୀଙ୍କୁ ଭେଟିବା ପରେ ବୈଠକକୁ ନେଇ ସୂଚନା ଦେଇଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଭାରତ ଓ ଚୀନ ମଧ୍ୟରେ ଲଦାଖରେ ସୀମା ବିବାଦ ଜାରି ରହିିଛି । ଏହାର ସମାଧାନ ପାଇଁ ଆଲୋଚନା ଚାଲିଛି କିନ୍ତୁ ଏହି ପ୍ରକିୟା ଧୀମା ଗତିରେ ଚାଲିଛି ବୋଲି କହିଛନ୍ତି ଏସ ଜୟଶଙ୍କର । ସେ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି କି ଯେଉଁପର୍ଯ୍ୟନ୍ତ ସୀମା ବିବାଦ ଶେଷ ହୋଇନି ସେପର୍ଯ୍ୟନ୍ତ ଚୀନ ସହ ଭାରତର ସର୍ମ୍ପକ ସାମାନ୍ୟ ହେବାର ପ୍ରଶ୍ନ ଉଠୁନି । ଏଥିସହ ୟୁକ୍ରେନ ଓ ରୁଷ ଯୁଦ୍ଧ ପ୍ରସଙ୍ଗ ଉପରେ ମଧ୍ୟ ଚୀନ ସହ ଆଲୋଚନା କରାଯାଇଛି ।

ଲଦାଖରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ହୋଇଥିବା ସଂର୍ଘଷ ପରେ ଚୀନର କୌଣସି ବରିଷ୍ଠ ନେତାଙ୍କ ଏହା ହେଉଛି ଭାରତକୁ ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ । ଗଲୱାନ ଘାଟି ହିଂସାକୁ ଦୁଇବର୍ଷ ବିତିଛି । ଏହା ଭିତରେ ଭାରତ ଓ ଚୀନ ମଧ୍ୟରେ ସର୍ମ୍ପକ ବିଗିଡିଛି ।