ୟୁକ୍ରେନ ଉପରେ ଛୋଟ ଆଣବିକ ବୋମା ପକାଇପାରେ ଋଷ! କାହିଁକି ଏଭଳି ଆଶଙ୍କା କଲା ଆମେରିକା?

174

କନକ ବ୍ୟୁରୋ : ୟୁକ୍ରେନ- ରୁଷ ଯୁଦ୍ଧ ଧୀରେ ଧୀରେ ଆଣବିକ ଯୁଦ୍ଧ ଆଡକୁ ଗତି କରୁଥିବା ଆଶଙ୍କା ବଢ଼ୁଛି । ଯୁଦ୍ଧରେ ଆଶାନୁରୂପ ସଫଳତା ମିଳୁନଥିବାରୁ ପୁଟିନ ସେନା ହତାଶ ହୋଇ ୟୁକ୍ରେନ ଉପରେ ଆଣବିକ ବୋମା ପକାଇପାରେ ବୋଲି ଆଶଙ୍କା କରିଛି ଆମେରିକା । ଆଉ ଏହାର ମୁକାବିଲ ପାଇଁ ରଣନୀତି ପ୍ରସ୍ତୁତ କରିଛି ହ୍ୱାଇଟହାଉସ । ଅନ୍ୟପଟେ ଯୁଦ୍ଧ ସଂକଟ ଭିତରେ ଆଜି ପୋଲାଣ୍ଡ ଗସ୍ତରେ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ ଲମ୍ବି ଚାଲିଥିବା ବେଳେ ଯେଉଁ ସଫଳତା ପାଇଁ ରୁଷ୍ ସେନା ଆଶା ରଖିଥିଲା, ୟୁକ୍ରେନର କଡ଼ା ମୁକାବିଲା ଯୋଗୁଁ ତାହା ସମ୍ଭବ ହୋଇପାରି ନାହିଁ । ଫଳରେ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ହତାଶା ବଢ଼ୁଛି । ତେଣୁ ଯୁଦ୍ଧରେ ନିଜର ଦବଦବା ବଢ଼ାଇବାକୁ ରୁଷ୍ ଛୋଟ ଧରଣର ଆଣବିକ ଅସ୍ତ୍ର ବ୍ୟବହାର କରିପାରେ ବୋଲି ଆଶଙ୍କା କରିଛି ଆମେରିକାର ଗୁଇନ୍ଦା ବିଭାଗ । ଏପରି ସ୍ଥିତିରେ କ’ଣ କରାଯିବ, ସେନେଇ ଆମେରିକା ପକ୍ଷରୁ ପ୍ରସ୍ତୁତି କରାଯାଇଛି । ୟୁକ୍ରେନ ଉପରେ ଯଦି ରୁଷ୍ ପକ୍ଷରୁ ଛୋଟ ଧରଣର ଆଣବିକ ବୋମା ବ୍ୟବହାର ହୁଏ, ଏହାର ମୁକାବିଲା ପାଇଁ ଏକ ଟାଇଗର ଟିମ ଗଠନ କରିଛନ୍ତି ଆମେରିକା ରାଷ୍ଟ୍ରପତି । ସପ୍ତାହକୁ ତିନିଥର ଏହି ଟିମ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରୁଛନ୍ତି ।

ୟୁକ୍ରେନ ଅଧିକାରୀଙ୍କ କହିବା ଅନୁସାରେ ଗତ ସପ୍ତାହରେ ମାରିଓପୋଲ ସହରରେ ଥିଏଟର ହଲ ଉପରେ ରୁଷ୍ ଯେଉଁ ଆକ୍ରମଣ କରିଥିଲା, ଏଥିରେ ୩ ଶହ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ମାରିଓପୋଲ ସହ କିଭ୍ ସହରରେ ରୁଷ୍ ଓ ୟୁକ୍ରେନ ସେନା ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି । କିଭ୍ ସହର ବାହାରେ ଥିବା ଏକ ତେଲ ଡିପୋକୁ ନଷ୍ଟ କରିଦେଇଥିବା ରୁଷ୍ ଦାବି କରିଛି । ଅନ୍ୟପଟେ ବ୍ରିଟେନ କହିଛି ଯେ, କିଭ୍ ଠାରୁ ୩୫ କିଲୋମିଟର ଦୂରରେ ଥିବା ସହରକୁ ପୁଣି ନିଜ କବଜାକୁ ନେଇଛି ୟୁକ୍ରେନ ସେନା ।

ଚଳିତ ଯୁଦ୍ଧକୁ ଏକ ନୂଆପ୍ରକାର ଯୁଦ୍ଧ ବୋଲି ବିଶେଷଜ୍ଞ କହୁଥିବା ବେଳେ ଏହାର ଆଉ ଏକ ପ୍ରମାଣ ମିଳିଛି । ଉଭୟ ଦେଶ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଯୁଦ୍ଧ ବନ୍ଦୀ ଅଦଳବଦଳ ହୋଇଛି । ୧୦ ୟୁକ୍ରେନ ସୈନିକଙ୍କ ବଦଳରେ ମୁକ୍ତି ପାଇଛନ୍ତି ୧୦ ରୁଷ୍ ସୈନିକ । ଏନେଇ ୟୁକ୍ରେନ ଉପ-ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଯୁଦ୍ଧ ଯୋଗୁଁ ବିଭିନ୍ନ ସହରରେ ହଜାର ହଜାର ଲୋକ ଫସିଛନ୍ତି । ସେହିପରି ଯୁଦ୍ଧ ଯୋଗୁଁ ପ୍ରାୟ ୩୦ ଲକ୍ଷ ଲୋକ ୟୁକ୍ରେନ ଛାଡ଼ିସାରିଲେଣି । ଅନ୍ୟପଟେ ରୁଷ୍ ବିରୋଧରେ ରଣନୀତିକୁ ଜୋର କରିଛି ଆମେରିକା । ବେଲଜିୟମରେ ନାଟୋ ସଦସ୍ୟଙ୍କ ସହ ବୈଠକ କରିସାରିଛନ୍ତି ବାଇଡେନ । ଏହାପରେ ପୋଲଣ୍ଡରେ ଆଗାମୀ ରଣନୀତି ସ୍ଥିର କରିବେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ର ।