ସୂତା ଖିଅରେ ଝୁଲୁଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନ: ଶାସନ ଗାଦିରୁ ହଟାଇବାକୁ ଅଣ୍ଟା ଭିଡିଲେ ବିରୋଧୀ

139

କନକ ବ୍ୟୁରୋ: ସମସ୍ୟା ଘେରରେ ଇମ୍ରାନ ଖାନ୍ । ପାକିସ୍ତାନର ଶାସନ ଭାର ତାଙ୍କ ହାତରୁ ଖସିବାରେ ଲାଗିଛି । ବିରୋଧୀ ଇମ୍ରାନ ଖାନଙ୍କ ବିରୋଧରେ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ଶୁକ୍ରବାର ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଝରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ତେବେ ଏହା ପରେ ଗୃହକାର୍ଯ୍ୟକୁ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ପାକିସ୍ତାନ ରାଜନୀତିରେ ବଡ ହଙ୍ଗାମା । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନ ଉପରେ ଝୁଲିଛି ବିରୋଧୀଙ୍କ ଖଣ୍ଡା । ଆଉ ଖୁବଶୀଘ୍ର ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିଦା କରିବା ପାଇଁ ଲାଗି ପଡିଛନ୍ତି ବିରୋଧୀ । କେବଳ ବିରୋଧୀ ନୁହଁନ୍ତି ଇମ୍ରାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଲାଗି ପଡିଛି ପାକିସ୍ତାନ ଆର୍ମି । ଆଉ ଚର୍ଚ୍ଚା ହେଉଛି, କିଛି ଦିନ ମଧ୍ୟରେ ଇମ୍ରାନଙ୍କୁ ହରାଇବାକୁ ପଡିପାରେ ପ୍ରଧାନମନ୍ତ୍ରୀ ପଦ । ଶୁକ୍ରବାର ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ତେବେ ସ୍ପିକର ଅସଦ କାଇଜର ଗୃହକାର୍ଯ୍ୟକୁ ମାର୍ଚ୍ଚ ୨୮ ସ୍ଥଗିତ ରଖିଦେଇଛନ୍ତି ।
ଅନାସ୍ଥା ପ୍ରସ୍ତାବ ଆଗତ ହେବାର ୩ଦିନରୁ ୭ ଦିନ ମଧ୍ୟରେ ଭୋଟିଂ ହେବାର ନିୟମ ରହିଛି । ଆଉ କୁହାଯାଉଛି ମାର୍ଚ୍ଚ ୨୮ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ । ଆଉ ଏଥିରେ ଇମ୍ରାନଙ୍କ ପାକିସ୍ତାନ ତେହରିକେ ଇନସାଫ ଦଳର ୨୪ ଜଣ ସାଂସଦ ତାଙ୍କ ବିରୋଧରେ ଭୋଟ ଦେବେ ବୋଲି ଚର୍ଚ୍ଚା ହେଉଛି ।

ପାକିସ୍ତାନ ସଂସଦରେ ମୋଟ ସାଂସଦଙ୍କ ସଂଖ୍ୟା ୩୪୨ । ସରକାରରେ ରହିବାକୁ ହେଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୭୨ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ । ପାକିସ୍ତାନ ତେହରିକେ ଇନସାଫର ୧୫୫ଜଣ ସାଂସଦଙ୍କ ସମର୍ଥନ ଇମ୍ରାନଙ୍କ ପାଖରେ ରହିଛି । ଆଉ ମ୍ୟାଜିକ ନମ୍ବର ୧୭୨ ହାତେଇବାକୁ ହେଲେ ଅନ୍ୟ ଦଳର ସମର୍ଥନ ଆବଶ୍ୟକ ରହିଛି ଇମ୍ରାନ ଖାନ୍ଙ୍କୁ । ହେଲେ ଇମ୍ରାନଙ୍କ ନିଜ ଦଳର ଅନେକ ସାଂସଦ ତାଙ୍କ ବିରୋଧରେ ଭୋଟ ଦେବେ ବୋଲି ଚର୍ଚ୍ଚା ହେଉଛି । ଆଉ ଏପରି ହେଲେ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ବିଦା ହେବା ଏକ ପ୍ରକାର ସ୍ପଷ୍ଟ ।

ପାକିସ୍ତାନର ବିଗୁଡୁଥିବା ଅର୍ଥନିତୀକୁ ନେଇ ବିରୋଧୀ ଇମ୍ରାନ ଖାନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଆସୁଛନ୍ତି । ସେପଟେ ପାକିସ୍ତାନ ସେନା ସହ ମତାନ୍ତର ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି । ସେନାମୁଖ୍ୟ ଜେନେରାଲ ବାଜୱା ଇମ୍ରାନ ଖାନଙ୍କ ଇସ୍ତଫା ଦେବା ପାଇଁ ମଧ୍ୟ ପ୍ରସ୍ତାବ ଦେଇ ସାରିଲେଣି ।

ସରି ସରି ଆସୁଛି ଇମ୍ରାନ ଖାନଙ୍କ ଶାସନ କାଳ । ଆଉ ତାଙ୍କ ବଦଳରେ ବିରୋଧୀ ନୱାଜ ଶରିଫଙ୍କ ଭାଇ ଶହୱାଜ ଶରିଫଙ୍କୁ ପରବର୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମଧ୍ୟ ଘୋଷଣା କରି ସାରିଲେଣି । ଏବେ ଅପେକ୍ଷା ମାର୍ଚ୍ଚ ୨୮ ତାରିଖକୁ । ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପରେ ସ୍ପଷ୍ଟ ହୋଇଯିବ, କାହା ହାତକୁ ଯିବ ପାକିସ୍ତାନର ଶାସନ ଡୋରି ।