ଚୀନକୁ କରୋନା କରୁଛି କଲବଲ : ବେଜିଂରେ ସଂକ୍ରମଣ ସ୍ଥିତି ଅଣାୟତ; ହସ୍ପିଟାଲରେ ଶଯ୍ୟା ଅଭାବରୁ ଷ୍ଟ୍ରେଚର, ହ୍ୱିଲ ଚେୟାରରେ ଚାଲିଛି ରୋଗୀ ଚିକିତ୍ସା

ଏପଟେ ଭାରତରେ ୨୪ ଘଣ୍ଟାରେ ୧୮୮ ଆକ୍ରାନ୍ତ ଚିହ୍ନଟ;କେରଳ ଓ ମହାରାଷ୍ଟ୍ରରେ ସଂକ୍ରମଣ ବଢୁଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା 

163

କନକ ବ୍ୟୁରୋ :  ଚୀନରେ କରୋନା ସଂକ୍ରମଣ ଅଣାୟତ ହେବାରେ ଲାଗିଛି । ରାଜଧାନୀ ବେଜିଂ ସମେତ ବିଭିନ୍ନ ସହରରେ ସାଘାତିକ ଭାବେ ପଜିଟିଭ ମାମଲା ବଢି ଚାଲିଛି । ଆକ୍ରାନ୍ତମାନେ ହସ୍ପିଟାଲରେ ଷ୍ଟ୍ରେଚରରେ ରହି ଚିକିତ୍ସିତ ହେଉଛନ୍ତି । କିଛି ଲୋକ ହ୍ୱିଲ ଚେୟାରରେ ରହି ଅକ୍ସିଜେନ ନେଉଥିବା ଭଳି ସାଂଘାତିକ ଦୃଶ୍ୟ ଚୀନରୁ ଆସିଛି । ଏଥିରୁ ଜଣାପଡୁଛି ଚୀନରେ ସଂକ୍ରମଣ କେତେ ଭୟଙ୍କର ରୂପ ଧାରଣ କରିଛି । ବେଜିଂର ଚୁଆଙ୍ଗଲିଉ ହସ୍ପିଟାଲରେ ସମସ୍ୟା ସୃଷ୍ଟି କରିଛି ଶଯ୍ୟା ଅଭାବ ।

ଏହା ସତ୍ୱେ ଗୁରୁତର ରୋଗୀ ହସ୍ପିଟାଲକୁ ଆସୁଥିବାରୁ ଡାକ୍ତର ଓ ନର୍ସଙ୍କ ଉପରେ ଚାପ ବଢିବାରେ ଲାଗିଛି । ସେମାନେ ଅତି ଗୁରୁତର ରୋଗୀଙ୍କୁ ରଖି, ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି । ସେପଟେ କିଛି ଦିନ ହେଲା ଚୀନର ଶ୍ମଶାନଗୁଡିକରେ ଅନ୍ତିମ ସଂସ୍କାର କରିବା ପାଇଁ ଲୋକଙ୍କୁ ଦିନ ଦିନ ଅପେକ୍ଷା କରିବାକୁ ପଡୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁର ସାପ୍ତାହିକ ରିପୋର୍ଟ ଅନୁସାରେ ଜାନୁୟାରୀ ୧ ସୁଦ୍ଧା ଚୀନର ସାପ୍ତାହିକ ସଂକ୍ରମଣ ୨ ଲକ୍ଷ ୧୮ ହଜାର । କିନ୍ତୁ ବିଶେଷଜ୍ଞ କହୁଛନ୍ତି ପ୍ରକୃତ ଆକ୍ରାନ୍ତଙ୍କ ସଂଖ୍ୟା ଢେର ଅଧିକ । ଚୀନ ସଂକ୍ରମଣର ସଠିକ ତଥ୍ୟ ଦେଉନଥିବାରୁ ସେଠାକର ସ୍ଥିତିକୁ ନେଇ ସାରା ବିଶ୍ୱ ଅନ୍ଧାରରେ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ବିଏ ଫାଇଭ ପଏଂଟ ଟୁ ଏବଂ ବିଏଫ ପଏଂଟ ସେଭେନ ଭୁତାଣୁ ପାଇଁ ଚୀନରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ ।

ଏପଟେ ଭାରତରେ ଗତ ୨୪ ଘଂଟାରେ ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କେରଳ ଓ ମହାରାଷ୍ଟ୍ରରେ ସଂକ୍ରମଣ ହାର ବଢିଥିବା ସୂଚନା ମିଳିଛି । ଭାରତରେ କରୋନା ସଂକ୍ରମଣ ଉଦବେଗଜନକ ନଥିଲେ ମଧ୍ୟ କୌଣସି ପ୍ରକାର ହେଳା କରିବାକୁ ଚାହୁଁ ନାହାନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । କରୋନା ସଂକ୍ରମଣ ଏଡାଇବା ପାଇଁ ଲୋକଙ୍କୁ ସତର୍କ ରହିବାକୁ କହିବା ସହ ପଦକ୍ଷେପ ନିଆଯାଉଛି । ସେପଟେ ଅନ୍ତର୍ଜାତୀୟ ଯାତ୍ରୀ ଭାରତ ଚିନ୍ତା ବଢାଇ ଦେଇଛନ୍ତି । ଗତ ୧୧ ଦିନରେ ପ୍ରାୟ ୧୨୪ ବିଦେଶରୁ ଆସିଥିବା ଯାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ଆଗକୁ ଅନ୍ତର୍ଜାତୀୟ ଯାତ୍ରୀ ଭାରତର ସମସ୍ୟା ବଢାଇ ପାରନ୍ତି ।