କର୍ଣ୍ଣାଟକରେ ଛୋଟ ପିଲାଙ୍କ ସଂକ୍ରମଣ ନେଇ ଆସିଲା ଅଧିକ ତଥ୍ୟ । ଅଧିକାଂଶ ପିଲାଙ୍କ କ୍ଷେତ୍ରରେ ଦେଖାଯାଉ ନାହିଁ ଲକ୍ଷଣ । ଅଳ୍ପ ପିଲାଙ୍କ କ୍ଷେତ୍ରରେ ଆଂଶିକ ଲକ୍ଷଣ ।

273

କନକ ବ୍ୟୁରୋ: କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋରରେ ଛୋଟ ପିଲା କରୋନାରେ ସଂକ୍ରମିତ ହେବା ଖବର ଏବେ ସମସ୍ତଙ୍କ ଚିନ୍ତା ବଢାଇଛି କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ବର୍ତ୍ତମାନ ସୁଦ୍ଧା କୌଣସି ଶିଶୁ କରୋନାରେ ପ୍ରାଣ ହରାଇ ନାହାନ୍ତି । ଏପରିକି ଆକ୍ରାନ୍ତ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଗୁରୁତର ହେଉନାହିଁ । ବାଙ୍ଗାଲୋରରେ ଦୈନିକ ୩ ଶହରୁ ୪ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଆଉ ସେମାନଙ୍କ ମଧ୍ୟରୁ ୨୦ରୁ ୨୬ ଜଣ ହେଉଛନ୍ତି ଛୋଟ ପିଲା । ବୃହତ ବାଙ୍ଗାଲୋର ମହାନଗର ପାଳିକାର ସୂଚନା ଅନୁସାରେ…

  • ଜୁଲାଇ ୧ରୁ ଅଗଷ୍ଟ ୧୧ ତାରିଖ ମଧ୍ୟରେ ୭୪୮ଜଣ ଶିଶୁ ( ୧ରୁ ୯ ବର୍ଷ ବୟସ୍କ) ସଂକ୍ରମିତ ହୋଇଛନ୍ତି
  • ସେହିପରି ଅଗଷ୍ଟ୫ ରୁ ୧୧ ତାରିଖ ମଧ୍ୟରେ ୧୪୩ ଜଣ ଶିଶୁ ( ୧ରୁ ୯ ବର୍ଷ ବୟସ୍କ) ସଂକ୍ରମିତ
  • ବୟସ୍କ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଛୋଟ ପିଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି
  • ଅଧିକାଂଶ ଆକ୍ରାନ୍ତ ଶିଶୁଙ୍କୁ ଠାରେ ଲକ୍ଷଣବିହୀନ ଓ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଉନି
  • ଆକ୍ରାନ୍ତ ଶିଶୁଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା କାହାରିକୁ ଆଇସିୟୁରେ ଭର୍ତ୍ତି କରାଯାଇନାହିଁ

ସେହିପରି ଅଗଷ୍ଟ ମାସର ପ୍ରଥମ ଦୁଇ ସପ୍ତାହ ସୁଦ୍ଧା ମିଜୋରାମରେ ୧୨୮ ଜଣ ଓ ପଞ୍ଜାବର ଲୁଧିଆନାରେ ୩୩ ଜଣ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଛୋଟ ପିଲାଙ୍କ ପାଇଁ ଟିକା ଆସିନଥିବାରୁ ସଂକ୍ରମଣ ଭୟ ରହିଛି କିନ୍ତୁ ପିଲାଙ୍କ ଦେହରେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢୁଥିବା କହୁଛନ୍ତି ବିଶେଷଜ୍ଞ ।

ଭାରତ ବଜାରରେ ୨୦୨୨ ଜାନୁୟାରୀ ସୁଦ୍ଧା ଛୋଟ ପିଲାଙ୍କ ପାଇଁ କୋଭାଭାକ୍ସ ଟିକା ଆସିଯିବ । ହେଲେ ଏହା ଡିସିଜିଆଇଙ୍କ ଅନୁମତି ଉପରେ ନିର୍ଭର କରେ ବୋଲି କହିଛନ୍ତି ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦାର ପୁନାୱାଲ । ଅନ୍ୟ ରାଜ୍ୟରେ ଶିଶୁ କରୋନାରେ ଆକ୍ରାନ୍ତ ହେଉଥିବାରୁ ଓଡିଶା ପ୍ରତି ମଧ୍ୟ ବିପଦ ଥିବା ନେଇ ସତର୍କ କରେଇ ଦେଇଛନ୍ତି ବିଶେଷଜ୍ଞ । ଅନ୍ୟପଟେ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଓ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ଓଡିଶାରେ ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଠ ପଢା ଶ୍ରେଣୀ ଗୃହରେ ଆରମ୍ଭ ହୋଇଛି । ଏହାରି ଭିତରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଅଗଷ୍ଟ ୧୫ ଯାଏଁ ସ୍କୁଲ ବନ୍ଦ ରଖିଛି ପ୍ରଶାସନ । ତେଣୁ ପିଲାଙ୍କୁ କରୋନା ସଂକ୍ରମିତ ହେବା ଖବର ଏବେ ସମସ୍ତଙ୍କ ପାଇଁ ଚିନ୍ତା ବଢାଇଛି ।