ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଖେଳିଲା ଓବିସି କାର୍ଡ । ନିର୍ବାଚନରେ ୨୭ ପ୍ରତିଶତ ଓବିସି ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଲା ବିଜେଡି ।

159
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଖେଳିଲା ଜାତି କାର୍ଡ
  • ପଞ୍ଚାୟତ ନିର୍ବାଚନରେ ୨୭% ଓବିସିଙ୍କୁ ପ୍ରାର୍ଥୀ କରିବ ବିଜେଡି

ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳ ମାନେ ଏବେଠୁ ରଣନୀତି ତିଆରି କରିବା ଆରମ୍ଭ କରିଦେଇଛନ୍ତି । ପୂର୍ବରୁ ସରକାର ସଙ୍କେତ ଦେଇସାରିଛନ୍ତି ଯେ, ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବାକୁ ଯାଉଛି । ଆଉ ଏପରି ସମୟରେ ଓଡ଼ିଶାରେ ୨୦୦ଟି ଜାତି ଓ ଉପଜାତି ଓବିସି ତାଲିକା ଅର୍ନ୍ତଭୁକ୍ତ ଅଛି । ଏହି ବର୍ଗର ଜନସଂଖ୍ୟା ମୋଟ୍ ଜନସଂଖ୍ୟାର ହେଉଛନ୍ତି ସିଂହ ଭାଗ । ତେଣୁ ଏକ ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳ କହିଛି, ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସୋସିଆଲି ଇକୋନମିକାଲି ବେକୱାର୍ଡ କାଷ୍ଟ-ଏସଇବିସି ଅର୍ଥାତ ଓବିସିଙ୍କ ପାଇଁ ୨୭% ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି ।

କିଛି ଦିନ ପୂର୍ବରୁ ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟି, ଜାତିଗତ ସଂଖ୍ୟା ଅନୁସାରେ ଲୋକଙ୍କୁ ସଂରକ୍ଷଣ ମିଳିବା ଦରକାର ବୋଲି ଯୁକ୍ତି ବାଢ଼ିଥିଲେ । ତେଣୁ ସୁପ୍ରିମକୋର୍ଟଙ୍କ ୫୦ ପ୍ରତିଶତ ସଂରକ୍ଷଣ କଟକଣା ହଟାଇବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରନ୍ତୁ ବୋଲି ଦାବି କରିଥିଲେ । କାରଣ ଏହି କଟକଣା ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଓବିସିମାନେ ୨୭% ସଂରକ୍ଷଣ ପାଉନାହାନ୍ତି ।

ବିଜେଡି କହିଛି ପଞ୍ଚାୟତ ନିର୍ବାଚନ ଓ ପରବର୍ତ୍ତୀ ନିର୍ବାଚନ ଗୁଡିକରେ ୨୭% ଓବିସି ପ୍ରାର୍ଥୀଙ୍କୁ ଟିକଟ ମିଳିବ । ଦଳ ଏହା ପୂର୍ବରୁ ଲୋକସଭା ନିର୍ବାଚନରେ ମହିଳା ମାନଙ୍କୁ ମଧ୍ୟ ୩୩% ସଂରକ୍ଷଣ ଦେଇଥିଲା । ଏହା ବାଦ୍ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ ରହିଛି । ଏହାପରେ ଆଉ କେତେ ପ୍ରତିଶତ ସିଟ୍ ବଞ୍ଚିବ ଓ କିଏ ଟିକଟ ପାଇବ ତାହା ବଡ ପ୍ରଶ୍ନ ପାଲଟିଛି ।