ସନ୍ଧ୍ୟା ୭ଟାରେ ବାରବାଟୀରେ ଆରମ୍ଭ ହେବ ମ୍ୟାଚ୍ । ବେଲ୍ ବଜାଇ ମ୍ୟାଚ୍ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

121

କନକ ବ୍ୟୁରୋ: ଆଜି ବାରବାଟୀ ଟକ୍କର । ଅଢେଇ ବର୍ଷ ପରେ ଆଜି ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ । ତେବେ ସମୟ ଯେତିକି ପାଖେଇ ଆସୁଛି ଖେଳ ଦେଖିବାକୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି । ଆଉ ଆଜି ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ମ୍ୟାଚ । ବେଲ୍ ବଜାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମ୍ୟାଚର ଶୁଭାରମ୍ଭ କରିବେ । ଏହାପରେ ପଡିଆକୁ ଓହ୍ଲାଇବେ ଭାରତୀୟ ଦଳ ଓ ଭ୍ରମଣକାରୀ ଟିମ୍ ଦକ୍ଷିଣ ଆଫ୍ରିକା ।

ମ୍ୟାଚ ପାଇଁ ଦିନ ୩ଟାରୁ ଷ୍ଟାଡିୟମରେ ଦର୍ଶକ ପ୍ରବେଶ କରିବା ଆରମ୍ଭ କରିଛନ୍ତି । ଦୀର୍ଘ ୭ ବର୍ଷ ପରେ ବାରବାଟୀରେ ମୁହାମୁହିଁ ହେବାକୁ ଯାଉଛନ୍ତି । ସାତ ବର୍ଷ ତଳେ ଭାରତ ଏହି ପିଚରେ ଦକ୍ଷିଣ ଆଫ୍ରିକା ବିରୋଧରେ ପରାଜୟ ହୋଇଥିଲା । ଆଉ ଆଜି ସମାନ ପିଚରେ ଭାରତ ଦକ୍ଷିଣ ଆଫ୍ରିକା ପାଖରୁ ଆଜି ପ୍ରତିଶୋଧ ନେବ ବୋଲି ଭାରତୀୟ କ୍ରୀଡାପ୍ରେମୀ ଆଶା ରଖିଛନ୍ତି । ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳାଯାଇଥିଲା । ଆଉ ଭାରତୀୟ ଟିମ୍ ପରାଜୟ ବରଣ କରିଥିଲା ।

ଆଜି ସିରିଜର ଦ୍ୱିତୀୟ ମ୍ୟାଚ ବାରବାଟୀରେ ଖେଳାଯିବ । ଏହି ପିଚରେ ଦୁଇ ଦଳ ମଧ୍ୟରେ ଗୋଟିଏ ଭଲ ମ୍ୟାଚ ଖେଳାଯିବ ବୋଲି ସମସ୍ତ କ୍ରୀଡାପ୍ରେମୀ ଆଶା ରଖିଛନ୍ତି । ଅନ୍ତିମ ଥର ୭ ବର୍ଷ ତଳେ ଦକ୍ଷିଣ ଆଫ୍ରିକା ଦଳ ସହ ୨୦୧୫ ଅକ୍ଟୋବର ୫ ତାରିଖରେ ଭାରତ ମ୍ୟାଚ ଖେଳିଥିଲା । ଏହି ମ୍ୟାଚ୍ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଖେଳାଯାଇଥିଲା । ଦଳ ମାତ୍ର ୯୨ ରନରେ ଅଲଆଉଟ୍ ହୋଇଯିବା ପରେ ପ୍ରଶଂସକ ଖେଳାଳିଙ୍କ ଉପରକୁ ବୋତଲ ବର୍ଷା କରିଥିଲେ । ଖେଳ ଢେର ସମୟ ଅଟକିରହିବା ପରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍ରେ ଜିତିଥିଲା । ଦକ୍ଷିଣ ଆଫ୍ରିକା ଏଠାରେ ଗୋଟିଏ ଟିି-୨୦ ଖେଳି ବିଜୟୀ ହୋଇଥିବାରୁ ଏହାକୁ ଦୋହରାଇବା ଲକ୍ଷ୍ୟରେ ରହିବ ।