ଦାନ୍ତେୱାଡା ଘଟଣା : ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବଡ ପ୍ରଶ୍ନ; ନକ୍ସଲମାନେ ଏତେ ପରିମାଣ ଅସ୍ତ୍ରଶସ୍ତ୍ର ପାଉଛନ୍ତି କିପରି ?

142

କନକ ବ୍ୟୁରୋ : ନକ୍ସଲମାନେ ଏତେ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ କେଉଁଠାରୁ ଆଣୁଛନ୍ତି । ଏହାର ତଦନ୍ତ ହେବା ଦରକାର । ବୁଧବାର ଛତିଶଗଡ଼ର ଦନ୍ତେୱାଡ଼ାରେ ହୋଇଥିବା ନକ୍ସଲ ଆକ୍ରମଣକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଥିବାବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏଭଳି ଏକ ପ୍ରଶ୍ନ ଉଠାଇଛନ୍ତି ।

ସେ କହିଛନ୍ତି ଯେ ନକ୍ସଲମାନେ ଏତେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣୁଛନ୍ତି ତାହାକୁ ନେଇ ଆମେ ଲଗାତାର ପ୍ରଶ୍ନ ଉଠାଉଛୁ । ସେମାନେ କେମିତି ଏତେ ପରିମାଣର ବିସ୍ଫୋରକ ଉତ୍ପାଦନ କରିପାରୁଛନ୍ତି ? କେନ୍ଦ୍ର ସରକାର ଏହାର ତଦନ୍ତ କରିବା ଦରକାର । ଏସବୁ ଜିନିଷ ଛତିଶଗଡ଼ରେ ତିଆରି ହେଉନାହିଁ, ତେବେ ନକ୍ସଲଙ୍କ ପାଖରେ କେମିତି ପହଂଚୁଛି ବୋଲି ପ୍ରଶ୍ନ କରିଛନ୍ତି ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣା ଘଟିଥିବା ସ୍ଥାନର ଭୂଗୋଳ ବୁଝିବାର ଆବଶ୍ୟକତା ରହିଛି । ଏହା ୩ଟି ଜିଲ୍ଲା ସୁକମା, ବିଜାପୁର ଓ ଦାନ୍ତେୱାଡାକୁ ଲାଗି ରହିଛି । ଏଠାରେ ରାସ୍ତା ନଥିଲା । ଏଠାରେ ରାସ୍ତା ନିର୍ମାଣ ପାଇଁ ଆମର ଅନେକ ଯବାନ ସହିଦ ହୋଇଥିଲେ । ଏବେ ଏହି ରାସ୍ତା ନିର୍ମାଣ ହୋଇଛି । ଏହି ଅଞ୍ଚଳ ନକ୍ସଲଙ୍କ କବଜାରେ ଥିଲା । ଆମେ ଦୁଇ ବର୍ଷ ମଧ୍ୟରେ ଏଠାରେ ୭୫ଟି ଶିବିର ସ୍ଥାପନ କରିଛୁ । ଏଠାରେ ରାସ୍ତା ନିର୍ମାଣ କରାଯାଉଛି ଏବଂ ଶିବିର ସ୍ଥାପନ କରାଯାଉଛି ବୋଲି ସେ କହିଛନ୍ତି ।

ସେପଟେ ବୁଧବାର ଦନ୍ତେୱାଡ଼ାରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ଦରଭା ଡିଭିଜନ ନିଜକୁ ଦାୟୀ କରିଛି । ବ୍ରାହ୍ମଣବାଦୀ ହିନ୍ଦୁତ୍ୱ ଓ ଫାସିବାଦୀ କେନ୍ଦ୍ର ସରକାର ଓ ଜନବିରୋଧୀ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଉପରେ କରୁଥିବା ଅତ୍ୟାଚାରର ଜବାବରେ ଏହି ଆକ୍ରମଣ କରାଯାଇଛି ବୋଲି ଦରଭା ଡିଭିଜନ କମିଟିର ସଚିବ ସାଇନାଥ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ।