ନରେନ୍ଦ୍ର ମୋଦୀଙ୍କୁ ବିଷଧର ସାପ କହିଲେ ମଲ୍ଲିକାର୍ଜୁନ ଖଡଗେ : ନିର୍ବାଚନ ବେଳେ ବୟାନକୁ ନେଇ କର୍ଣ୍ଣାଟକରେ ରାଜନୀତି ସରରଗରମ

96

  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ମୋଦୀଙ୍କୁ ବିଷାକ୍ତ ସାପ କହି ସମ୍ବୋଧନ କରିଛନ୍ତି ଖଡଗେ । କହିଛନ୍ତି, ମୋଦୀ ହେଉଛନ୍ତି ଏକ ବିଷାକ୍ତ ସାପ ଭଳି । ଆପଣ ଏହି ବିଷକୁ ବୁଝନ୍ତୁ କି ନ ବୁଝନ୍ତୁ, କିନ୍ତୁ ଆପଣ ଯଦି ଏହାକୁ ଚାଖିବେ, ତେବେ ମରିଯିବେ । କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ଖଡଗେ ।

ଖଡଗେଙ୍କ ବୟାନକୁ ନିନ୍ଦା କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ମଲ୍ଲିକାର୍ଜୁନ ଖଡଗେଙ୍କୁ କଂଗ୍ରେସର ଅଧ୍ୟକ୍ଷ କରାଯାଇଛି । କିନ୍ତୁ ଦଳର କୌଣସି ନେତା ତାଙ୍କୁ ଅଧ୍ୟକ୍ଷ ବୋଲି ମାନୁନାହାନ୍ତି । ଏଥିପାଇଁ ଖଡଗେ ଏଭଳି ବୟାନ ଦେଇଛନ୍ତି । ଠାକୁର ଆହୁରି କହିଛନ୍ତି, କଂଗ୍ରେସ ବାରମ୍ବାର ନିର୍ବାଚନ ହାରି ହତାଶ ହୋଇଯାଇଛି । ତେଣୁ ବାଧ୍ୟ ହୋଇ ବାରମ୍ବାର ମୋଦୀଙ୍କୁ ଅପମାନ କରିବା ଓ ଗାଳିଦେବା କାମ କରୁଛି କଂଗ୍ରେସ ।

ଆଗାମୀ ଦିନରେ ଜନତା ଏହାର ଜବାବ ଦେବେ ବୋଲି ଅନୁରାଗ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖଡଗେଙ୍କ ବୟାନକୁ ନିନ୍ଦା କରିଛନ୍ତି । ସେପଟେ ବିବାଦ ତେଜିବା ପରେ ସ୍ୱର ବଦଳାଇଛନ୍ତି ଖଡଗେ । ଆଉ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି । ସେ କହିଛନ୍ତି, ସେ କେବଳ ପ୍ରଧାନମନ୍ତ୍ରୀ ମୋଦୀ ଓ ଆରଏସଏସ ବିଚାରଧାରା ବିଷୟରେ କହିଥିଲେ ।