ଆଦାନୀ ଗ୍ରୁପ ପରେ ହିଣ୍ଡେନବର୍ଗ ଟାର୍ଗେଟରେ ଏହି କମ୍ପାନୀ, ରିପୋର୍ଟ ପ୍ରକାଶ ପାଇବା ପରେ ବୁଡିଗଲା ୮୧ ହଜାର କୋଟି ଟଙ୍କା

1,536

କନକ ବ୍ୟୁରୋ : ଆଦାନୀ ଗ୍ରୁପ ଉପରେ କିଛିଦିନ ତଳେ ହିଣ୍ଡେନବର୍ଗ ତରଫରୁ ଏକ ରିପୋର୍ଟ ଜାରି କରାଯାଇଥିଲା । ଏହାପରେ ଆଦାନୀ ଗ୍ରୁପର ସେୟାର ମାର୍କେଟରେ ତଳମୁହାଁ ହୋଇଥିଲା । ଫଳରେ ହଜାର ହଜାର କୋଟି ଟଙ୍କା କ୍ଷତି ସହିଥିଲା କମ୍ପାନୀ । ଏହାକୁ ନେଇ ଦେଶ ରାଜନୀତି ବି ବେଶ୍ ସରଗରମ ହୋଇଥିଲା । ହେଲେ ଏବେ ପୁଣି ସେହି ହିଣ୍ଡେନବର୍ଗ ରିପୋର୍ଟ ଆମେରିକାର ଏକ କମ୍ପାନୀକୁ ଗରିବ କରି ଦେଇଛି ।

ଆମେରିକାର କୋଟିପତି ତଥା କର୍ପୋରେଟ୍ କର୍ମୀ କାର୍ଲ ଇକାନ ହିଣ୍ଡେନବର୍ଗ ରିସର୍ଚ୍ଚର ଆକ୍ରମଣରେ ଶିକାର ହୋଇଛନ୍ତି । କାର୍ଲଙ୍କ କମ୍ପାନୀ ଇକାନ୍ ଏଣ୍ଟରପ୍ରାଇଜେସ ବିରୋଧରେ ହିଣ୍ଡେନବର୍ଗର ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଅଭିଯୋଗ ରହିଛି କି, ଇକାନ ଏଣ୍ଟର ପ୍ରାଇଜେସ୍ ପଞ୍ଜି ସ୍କିମ ଭଳି ଏକ ଅର୍ଥନୈତିକ ଢାଞ୍ଚା ଗ୍ରହଣ କରିଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଗୋଟିଏ ଦିନରେ କାର୍ଲ ଇକାନଙ୍କ ସମ୍ପତ୍ତି ୮୧,୮୦୯ କୋଟି ଟଙ୍କା ହ୍ରାସ ପାଇଛି । ଅର୍ଥାତ ମଙ୍ଗଳବାର ଦିନ ଇକାନ୍ ଏଣ୍ଟର ପ୍ରାଇଜେସର ସେୟାର ମୂଲ୍ୟ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି ।

ବ୍ଲୁମବର୍ଗ ବିଲିନିୟର୍ସ ଇଣ୍ଡେକ୍ସ ମୁତାବକ ହିଣ୍ଡେନବର୍ଗ ରିପୋର୍ଟ ଆସିବା ପୂର୍ବରୁ କାର୍ଲ ଇକାନ ମୋଟ ୨୫ ବିଲିୟନ ଡଲାର ସମ୍ପତ୍ତି ସହ ଦୁନିଆର ଧନୀ ତାଲିକାରେ ୫୮ ତମ ସ୍ଥାନରେ ଥିଲେ । ହେଲେ ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଏବେ କାର୍ଲ ଇକାନ ଏହି ତାଲିକାର ୧୧୯ ତମ ସ୍ଥାନରୁ ତଳକୁ ଖସି ଆସିଛନ୍ତି ।