ଆସନ୍ତାକାଲି ବଜେଟ୍: ବଦଳିପାରେ ଆୟକର ସୀମା । ଲୋକସଭା ନିର୍ବାଚନ ପୂର୍ବରୁ ଖୁସି ଖବର ଦେଇପାରେ ମୋଦୀ ସରକାର । 

281

କନକ ବ୍ୟୁରୋ: ଆରମ୍ଭ ହୋଇସାରିଛି ସଂସଦର ବଜେଟ୍ ଅଧିବେଶନ । ବୁଧବାର ଦେଶର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ମୋଦୀ ସରକାର ୨.୦ର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇପାରେ । ଆସନ୍ତାବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଆୟକର ସୀମାରେ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି ।

୨୦୨୧-୨୨ ଆର୍ଥିିକ ବର୍ଷ ଅନୁସାରେ, ଯେଉଁ ଲୋକଙ୍କ ରୋଜଗାର ଅଢେଇ ବର୍ଷରୁ କମ୍ ସେହି ଲୋକଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ତେବେ ଯେଉଁ ଲୋକଙ୍କ ରୋଜଗାର ଅଢେଇ ଲକ୍ଷରର ୫ ଲକ୍ଷ ଭିତରେ ଥିଲା, ସେମାନଙ୍କୁ ୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡୁଥିଲା । ସେହିପରି ୫ ଲକ୍ଷରୁ ୭.୫ ଲକ୍ଷ ରୋଜଗାର କରୁଥିବା ଲୋକଙ୍କୁ ୭.୫ ପ୍ରତିଶତ, ୭.୫ ଲକ୍ଷରୁ ୧୦ ଲକ୍ଷ ରୋଜଗାର କରୁଥିବା ଲୋକଙ୍କୁ ୧୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ଧାର୍ଯ୍ୟ କରାଯାଇଥିଲା । ଅନ୍ୟପଟେ ଯେଉଁ ଲୋକଙ୍କ ରୋଜଗାର ୧୦ ଲକ୍ଷରୁ ୧୨.୫ ଲକ୍ଷ ଭିତରେ ଥିଲା ସେମାନଙ୍କୁ ନିଜ ଆୟର ୨୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡୁଥିଲା । ହେଲେ ଏହି ସ୍ଲାବରେ ଏବେ କିଛିଟା ପରିବର୍ତ୍ତନ କରିପାରେ ମୋଦୀ ସରକାର । ଅଢେଇ ଲକ୍ଷ ବଦଳରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଲୋକଙ୍କର ଟ୍ୟାକ୍ସ ଛାଡ କରିପାରେ ମୋଦୀ ସରକାର ।

ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର କହିବା କଥା, ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଗ୍ଲୋବାଲ ଇକୋନୋମୀରେ ହ୍ରାସ ଦେଖିବାକୁ ମିଳିପାରେ । ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିବ । ହେଲେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଆମେରିକା ଓ ଚୀନ୍ ଠାରୁ ଉପରେ ରହିବ ବୋଲି ଅନୁମାନ କରାଯାଉଛି । ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬.୮ ପ୍ରତିଶତରୁ କମି ୬.୧ ପ୍ରତିଶତ ହୋଇପାରେ । ତେବେ ୨୦୨୪ ବେଳକୁ ଏହି ଅଭିବୃଦ୍ଧି ହାର ୬.୮ ପ୍ରତିଶତକୁ ଛୁଇଁବା ନେଇ ଆକଳନ କରାଯାଉଛି । ତେବେ ଯଦି ଚୀନ କଥା କହିବା, ୨୦୨୩ରେ ଚୀନର ଅର୍ଥନୈତିକ ଅଭିବୃଜ୍ଝି ୫.୨ ପ୍ରତିଶତ ରହିବା ନେଇ ଆଶା କରାଯାଉଛି । ସେହିପରି ଆମେରିକାର ଅର୍ଥନୈତିକ ଅଭିବୃଦ୍ଧି ୧.୪ ପ୍ରତିଶତ ରହିବା ଆଶା କରାଯାଉଛି ।