ବେଲପାହାଡ-ହେମଗିରି ରାସ୍ତାରେ ଭୁଶୁଡିଲା ଲୋଟସ ବ୍ରିଜ୍ ! ଅଧାରେ ଅଟକିଲା ହାଇୱା

46

କନକ ବ୍ୟୁରୋ: ଭାଙ୍ଗି ପଡିଲା ପୋଲ । ଅଳ୍ପକେ ବର୍ତିଲେ ହାଇୱା ଡ୍ରାଇଭର । ଝାରସୁଗୁଡା ଜିଲ୍ଲା ବେଲପାହାଡରୁ ଏମସିଏଲ ବସୁନ୍ଧରା ଖଣି ଅଂଚଳକୁ ସଂଯୋଗ କରୁଥିବା ହେମଗିରି ରାସ୍ତାରେ ଥିବା ଲୋଟସ ପୋଲ ଭାଙ୍ଗି ପଡିଛି । ଗତକାଲି ରାତିରେ ହଠାତ୍ ପୋଲଟି ଭାଙ୍ଗି ପଡିବା ଫଳରେ ଏକ ଚିପ୍ସ ବୋଝେଇ ହାଇୱା ପୋଲ ଉପରେ ଫସି ରହିଥିଲା । ଆଜି ସକାଳେ ଏହାକୁ କ୍ରେନ୍ ଯୋଗେ ବାହାର କରାଯାଇଛି । ତେବେ ପୋଲଟି ଭାଙ୍ଗି ପଡିବା ଫଳରେ ହେମଗିରିରୁ ଝାରସୁଗୁଡା ବେଲପାହାଡକୁ ଗାଡି ଚଳାଚଳ ବନ୍ଦ ରହିଛି ।

ସୂଚନା ମୁତାବକ, ଝାରସୁଗୁଡା ଜିଲ୍ଲାର ବେଳପାହାଡରୁ ଏମସିଏଲ ବସୁନ୍ଧରା ଖଣି କ୍ଷେତ୍ରକୁ ସଯୋଗ କରୁଥିବା ବେଳପାହାଡ-ସୁନ୍ଦର ଗଡ ଜିଲ୍ଲାର ହେମଗିରି ରାସ୍ତାରେ ଥିବା ଗ୍ରୀଣ୍ଡୋଲା ଗାଁ ପାଖରେ ଥିବା ଲୋଟସ ପୋଲ ଦୁର୍ବଳ ହୋଇପଡିଥିବାରୁ ସ୍ଥାନୀୟ ଲୋକ ନୂତନ ପୋଲ ନିର୍ମାଣ ନିମନ୍ତେ ପୂର୍ବରୁ ପ୍ରଶାସନକୁ ଲିଖିତ ଅଭିଯୋଗ କରିଆସୁଥିଲେ ସୁଦ୍ଧା କୌଣସି ଲାଭ ମିଳିପାରି ନାହିଁ । ଗତକାଲି ରାତିରେ ପୋଲ ଭାଙ୍ଗିଯିବା କାରଣରୁ ଏବେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଲଖନପୁର ଅଂଚଳରୁ ଚିପ୍ସ ବୋଝେଇ ହୋଇ ହେମଗିରି ଅଁଚଳକୁ ଯାଉଥିବା ବେଳେ ପୋଲଟି ଭାଙ୍ଗି ଯାଇଥିଲା, ଫଳରେ ଗାଡିଟି ପୋଲ ଉପରେ ଫସି ରହିଥିଲା । ଆଜି ସକାଳେ କ୍ରେନ ଯୋଗେ ଉକ୍ତ ଗାଡିଟିକୁ ଉଦ୍ଧାର କରାଯାଇଛି ।

ଗୋଟିଏ ପଟେ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ସୀମାନ୍ତ ଅଂଚଳ । ତେବେ ସୁନ୍ଗରଗଡ ଜିଲ୍ଲାର ଅଧିନରେ ଆସୁଥିବା ଉକ୍ତ ରାସ୍ତା ପୂର୍ତ୍ତ ବିଭାଗ ରକ୍ଷଣ ବେକ୍ଷଣ କରୁଥିବା ବେଳେ ଝାରସୁଗୁଡା ଦଜିଲ୍ଲା ଅଧିନରେ ଆସୁଥିବା ରାସ୍ତାକୁ କୌଣସି ବିଭାଗ ମରାମତି କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଗତମାସ ଝାରସୁଗୁଡା ଜିଲ୍ଲାପାଳଙ୍କ ନିକଟରେ ଗାଁଲୋକେ ଅଭିଯୋଗ କରିଥିଲେ । ଏହି ରାସ୍ତାଟି ଉଭୟ ଲଖନପୁର ଓ ହେମଗିରି ବ୍ଲକ ବାସିନ୍ଦାଙ୍କ ପାଇଁ ଲାଇଫ ଲାଇନ ହୋଇଥିବା ବେଳେ ପୋଲ ଭାଙ୍ଗି ଯିବାରୁ ବର୍ଷା ଦିନେ ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେବେ ।