ବ୍ରହ୍ମ ବିଭ୍ରାଟ ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କଲା ମନ୍ଦିର ପ୍ରଶାସନ : ପୁଣି ୯ ଦଇତାଙ୍କୁ ହେଲା ନୋଟିସ

ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଦେଖାଇଛି ଶ୍ରୀମନ୍ଦିର ପ୍ରଶାସନ

114

କନକ ବ୍ୟୁରୋ : ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଦେଖାଇଛି ଶ୍ରୀମନ୍ଦିର ପ୍ରଶାସନ। କାରଣ ଦର୍ଶାଅ ନୋଟିସ୍ ଉତ୍ତର ସନ୍ତୋଷଜନକ ନଥିବା ଦର୍ଶାଇ ପୁଣି ଥରେ ୯ ଜଣ ଦଇତାପତିଙ୍କୁ ଜାରି କରିଛି କାରଣ ଦର୍ଶାଅ ନୋଟିସ୍ (ସେକେଣ୍ଡ ରିମାଇଣ୍ଡର)। ଏହାର ଜବାବ ରଖିବାକୁ ୧୫ ଦିନ ମହଲତ୍ ଦେଇଛି। ଯଦି ଏହାର ସନ୍ତୋଷଜନକ ଉତ୍ତର ନ ମିଳେ ଶ୍ରୀମନ୍ଦିର ଆଇନ ଧାରା ୨୧ (ଖ) ଅନୁଯାୟୀ ତଦନ୍ତ ହେବ ଓ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚିଠିରେ ପ୍ରଶାସନ ସିଧାସଳଖ ଜଣାଇଦେଇଛି। ବର୍ତ୍ତମାନ ଦଇତା ନିଯୋଗ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଠିକ୍ ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନର ଏଭଳି କଡ଼ା ନୋଟିସ୍ ଭାଳେଣି ସୃଷ୍ଟି କଲାଣି।

 

ନବକଳେବର ଅବସରରେ ୨୦୧୫ ଜୁନ ୧୫ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘଟ ପରିବର୍ତନ ହୋଇଥିଲା। ସେଦିନ ବ୍ରହ୍ମ ସଂସ୍ଥାପନ ପାଇଁ ଦଇତାପତି ନିଯୋଗର ପ୍ରାୟ ସମସ୍ତ ସେବକ ଉପସ୍ଥିତ ଥିଲେ। ମାତ୍ର ବ୍ରହ୍ମ ଦର୍ଶନକୁ ନେଇ ବିଶୃଙ୍ଖଳା ଯୋଗୁ ଘଟ ପରିବର୍ତନରେ ଅହେତୁକ ବିଳମ୍ବ ହୋଇଥିଲା। ଯାହାକୁ ନେଇ ରାଜ୍ୟ ତଥା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ରାଜ୍ୟବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଯେଉଁଥିପାଇଁ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ନିନ୍ଦିତ ହୋଇଥିଲେ। ପରେ ଏହାର ନିରପେକ୍ଷ ତଦନ୍ତ କରାଯାଇଥିଲା।

 

ତଦନ୍ତ ରିପୋର୍ଟ ଓ ତତସଂଲଗ୍ନ ବୟାନ ଆଧାରରେ ୨୦୧୮ ନଭେମ୍ବର ୧୪ରେ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗର ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ଓ ଅନ୍ୟ ୮ ଜଣ ଦଇତାପତି ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଏପରିକି ଘଟ ପରିବର୍ତନ ସମୟରେ ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ଘଟ ପରିବର୍ତନର ପରମ୍ପରା ଓ ଗୋପନୀୟତାକୁ ଭଙ୍ଗ କରି ଜୋର ଜବରଦସ୍ତ ୪ ଜଣ ବରିଷ୍ଠ ଦଇତାପତିଙ୍କୁ ବ୍ରହ୍ମ ଦର୍ଶନ କରାଇଥିଲେ ବୋଲି ଶ୍ରୀମନ୍ଦିର ପ୍ରଶାସନ ଚିଠିରେ ଉଲ୍ଲେଖ କରିଥିଲା। ନୋଟିସ୍ ହେବାର ୧୫ ଦିନ ଭିତରେ ଏହାର ଜବାବ ରଖିବାକୁ ପ୍ରେମାନନ୍ଦଙ୍କ ସମେତ ୮ ଜଣ ଦଇତାପତିଙ୍କୁ ଚିଠି କରାଯାଇଥିଲା। ଯଦି ଉତ୍ତର ସନ୍ତୋଷଜନକ ନହୁଏ, ଶ୍ରୀମନ୍ଦିର ଆଇନ ୧୯୫୫, ୨୧(କ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ ଶ୍ରୀମନ୍ଦିର ପ୍ରଶାସନ ଚେତାଇ ଦେଇଥିଲା।