ମହାଠକ ନିରବ ମୋଦୀ ଓ ମାଲ୍ୟାଙ୍କୁ ଭାରତ ପଠାଇବାକୁ ଚାହୁଁଛି । ଭାରତ ଗସ୍ତରେ ଆସି ବଡ ବୟାନ ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ ।

313

କନକ ବ୍ୟୁରୋ : ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବଡ ବୟାନ ଦେଇଛନ୍ତି । ମହାଠକ ମାଲ୍ୟା ଓ ନିରବ ମୋଦୀଙ୍କୁ ଭାରତ ପଠାଇବାକୁ ଚାହୁଁଛି ବୋଲି କହିଛନ୍ତି ଜନସନ । ଦୁଇ ଫେରାର ମହାଠକ ମାଲ୍ୟା ଓ ନିରବ ମୋଦୀଙ୍କୁ ନେଇ ପ୍ରଶ୍ନ ପଚରାଯିବା ପରେ କିଛି ଏଭଳି ଉତ୍ତର ରଖିଛନ୍ତି ଜନସନ ।

ଜନସନ କହିଛନ୍ତି ଭାରତର ଦୁଇ ଫ୍ରଡ ମାଷ୍ଟର ଏବେ ବ୍ରିଟେନରେ ଅଛନ୍ତି । ଉଭୟଙ୍କୁ ମୁଁ ଭାରତ ପଠାଇବାକୁ ଚାହୁଁଛି । କିନ୍ତୁ କିଛି ଆଇନ ଏଥିରେ ବାଧା ଦେଉଛି । ଆମେ ସେଭଳି ଲୋକଙ୍କୁ ସ୍ୱାଗତ କରିବାକୁ ଚାହୁଁନା ଯେଉଁମାନେ କୌଣସି ଅପରାଧ କରି ଆମ ଦେଶରେ ଆଶ୍ରୟ ନେବାକୁ ଆସୁଛନ୍ତି । ସେହିଭଳି ଖଲିସ୍ତାନୀ ସଙ୍ଗଠନକୁ ନେଇ ଜନସନ କହିଛନ୍ତି ଆଣ୍ଟି ଟେରରିଷ୍ଟ ଟାସ୍କ ଫୋର୍ସ ଗଠନ କରାଯାଇଛି । ଖୁବଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।

ସେହିଭଳି ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ଜନସନ କହିଛନ୍ତି, ଏହାଛଡା ଏବେ ମାରିୟୁପୋଲରେ ଯେଉଁଭଳି ବିଧ୍ୱଂସୀଲୀଳା ଋଷ ରଚୁଛି ତାହା ଆଦୌ ଗ୍ରହଣୀୟ ନୁହେଁ । ଏହାଛଡା ଋଷକୁ ନେଇ ଭାରତର ଆଭିମୁଖ୍ୟ ସେହିଭଳି ରହିବ ବୋଲି ଆମେ ଜାଣିଛୁ । କାରଣ ଋଷ ସହ ଭାରତ ସମ୍ପର୍କ ଅତି ପୁରୁଣା । ଏହାସତ୍ତେ୍ୱ ମଧ୍ୟ ଅତି କଠିନ ସମୟରେ ବି ଭାରତ ସହ ଆମର ସମ୍ପର୍କ ଦୃଢ ରହିଛି । ଏହି ଗସ୍ତ ସମୟରେ ମୋଦୀଙ୍କୁ ନିଜର ଖାସ୍ ବନ୍ଧୁ ବୋଲି କହିଛନ୍ତି ଜନସନ ।