ବିଜେଡିର ବିଜୟଧାରାରେ ଲାଗିଲା ବ୍ରେକ୍ । ଧାମନଗର ଉପ-ନିର୍ବାଚନ ଜିତିଲା ବିଜେପି । ପଢନ୍ତୁ, ବିଜେଡି ପରାଜୟ ପଛର ପ୍ରମୁଖ କାରଣ କଣ?

ଉପ-ନିର୍ବାଚନ ଗଣିତକୁ ଗଡ଼ବଡ଼ କରିଦେଲେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ 

539

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ବିଜେପିର ବାଜିମାତ । ଧାମନଗରବାସୀଙ୍କୁ ମିଳିଲେ ନୂଆ ବିଧାୟକ । ବିଜୟୀ ହେଲେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ । ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ସୂରଜ ସୂର୍ଯ୍ୟବଂଶୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ୯ ହଜାର ୮୮୧ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ସୂରଜଙ୍କୁ ୮୦ ହଜାର ୩୫୧ ଭୋଟ ମିଳିଥିବାବେଳେ ଅବନ୍ତୀଙ୍କୁ ମିଳିଛି ୭୦ ହଜାର ୪୭୦ ଭୋଟ୍ । ତେବେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ପାଇଛନ୍ତି ୮ହଜାର ୧୫୩ ଭୋଟ । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ମିଳିଛି ମାତ୍ର ୩୫୬୧ ଖଣ୍ଡ ଭୋଟ ।

୨୦୧୯ରେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀ ଯେତିକି ଭୋଟ ପାଇଥିଲେ ତାଠୁ ଅଧିକ ଭୋଟ ପାଇଛନ୍ତି ସୂରଜ । ଭୋଟ ବ୍ୟବଧାନ ମଧ୍ୟ ଅଧିକ ହୋଇଛି । ଏଥିସହ  ବିଜେଡିର ଉପ ନିର୍ବାଚନ ବିଜୟଧାରାରେ ବ୍ରେକ ଲାଗିଛି । ବିଜୟୀ ହେବା ପରେ ଧାମନଗରବାସୀଙ୍କୁ ଶ୍ରେୟ ଦେଇଛନ୍ତି ସୂରଜ ସୂର୍ଯ୍ୟବଂଶୀ । କହିଛନ୍ତି ଏହି ବିଜୟ ଧାମନଗରବାସୀଙ୍କର, ସେ ନିମିତ୍ତ ମାତ୍ର । ଅନ୍ୟପଟେ ସୂରଜଙ୍କୁ ଶୁଭେଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଧାମନଗରରେ ଉପ ନିର୍ବାଚନରେ ଧର୍ମର ବିଜୟ ହୋଇଛି ।

  • ବିଜେଡିର ବିଜୟ ଧାରାରେ ଲାଗିଲା ବ୍ରେକ୍
  • ଧାମନଗରରେ ଅଟକିଲା ଉପ-ନିର୍ବାଚନ ବିଜୟ ରଥ
  • ୨୪ ଲଢ଼େଇ ପୂର୍ବରୁ ବିଜେଡିକୁ ବଡ଼ ଝଟକା

ଉପ-ନିର୍ବାଚନ ପରେ ଉପ-ନିର୍ବାଚନ ଜିତିଆସୁଥିବା ବିଜେଡିର ବିଜୟ ଧାରା ଧାମନଗରରେ ଆସି ଅଟକିଯାଇଛି । ନିର୍ବାଚନ ଫଳାଫଳ ପୂର୍ବରୁ ଯେଉଁ ଦାବି କରୁଥିଲା ବିଜେଡି, ତାର ଠିକ୍ ଓଲଟା ପରିଣାମ ଦେଇଛି ବାଇ-ଇଲେକସନ୍ ରେଜଲ୍ଟ । ଦୀର୍ଘ ୨୨ ବର୍ଷ ଧରି କ୍ଷମତାରେ ରହି ଆସିଥିବା ଶାସକ ଦଳ, ୨୦୦୮ ପରଠାରୁ କୌଣସି ଉପ-ନିର୍ବାଚନ ହାରିନଥିବା ବିଜେଡି, ଧାମନଗରରେ ହାରିଲା କାହିଁକି? ନଜର ପକାନ୍ତୁ, ପରାଜୟର କିଛି ପ୍ରମୁଖ କାରଣ ଉପରେ ।

କାରଣ ନମ୍ବର-୧: ପ୍ରାର୍ଥୀ ଚୟନ

ଦଳୀୟ ସଂଗଠନ ସହ ଜଡ଼ିତ ଥିବା ପ୍ରାର୍ଥୀଙ୍କ ବଦଳରେ ମହିଳା କାର୍ଡ ଖେଳିବା ଲକ୍ଷ୍ୟରେ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କଲା ବିଜେଡି । ଯାହା, ଦଳ ଭିତରେ ଥିବା ଅସନ୍ତୋଷକୁ ପଦାରେ ପକାଇଲା ଓ ବିଦ୍ରୋହୀ ପ୍ରାର୍ଥୀଙ୍କୁ ମୁଣ୍ଡ ଟେକିବାର ସୁଯୋଗ ସୃଷ୍ଟି କଲା । ଆଉ ୨୦୧୯ରେ ବିଜେଡିର ପ୍ରାର୍ଥୀ ଥିବା ରାଜେନ୍ଦ୍ର ଦାସ, ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହେଲେ । ରାଜେନ୍ଦ୍ର ଦାସ ବିଜେଡି ପାଇଁ କେତେ ଘାତକ ସାବ୍ୟସ୍ତ ହେଲେ ତାହା ଫଳାଫଳ ଗଣିତରେ ସ୍ପଷ୍ଟ ବାରି ହୋଇପଡୁଛି । ବିଜେଡି ଓ ବିଜେପି ମଧ୍ୟରେ ଥିବା ଭୋଟ୍ ବ୍ୟବଧାନ, ରାଜେନ୍ଦ୍ର ଦାସ ପାଇଥିବା ଭୋଟ୍ ସଂଖ୍ୟା ସହ ପ୍ରାୟ ସମାନ ।

କାରଣ ନମ୍ବର-୨: ଅତ୍ୟଧିକ ଆତ୍ମବିଶ୍ୱାସ

ଦୀର୍ଘ ୨୨ ବର୍ଷ ଧରି କ୍ଷମତାରେ ରହିବା ପରେ ବିଜେଡି ହୁଏତ ଧରି ନେଇଥିଲା, ବିଜେଡି ଯାହାକୁ ପ୍ରାର୍ଥୀ କରିବ ଜନତା, ସେଇ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ । ହେଲେ ବିଜେଡିର ଏହି ଅତ୍ୟଧିକ ଆତ୍ମବିଶ୍ୱାସ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ଦକ୍ଷନେତୃତ୍ୱକୁ ଅଣଦେଖା କରି ଧାମନଗର ପାଇଁ ପ୍ରାର୍ଥୀ ଥୋପି ଦେବା ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିଛି ।

କାରଣ ନମ୍ବର-୩ : ଆତ୍ମସମ୍ମାନ ବନାମ ପତିଆରା

ବିଜେଡି ପାଇଁ ଧାମନଗର କେବଳ ବିଜୟର ପତିଆରା ଥିବାବେଳେ ବିଜେପି ପାଇଁ ଥିଲା ଆତ୍ମ ସମ୍ମାନର ପ୍ରଶ୍ନ । କାରଣ, ବିଷ୍ଣୁ ସେଠୀଙ୍କ ପତିଆରାକୁ ଅକ୍ଷୁର୍ଣ୍ଣ ରଖିବା ବିଜେପି ପାଇଁ ଥିଲା ବଡ଼ ଆହ୍ୱାନ । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶେଶ୍ୱର ଟୁଡୁ ଘନଘନ ପ୍ରଚାର କରିଥିବା ବେଳେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ କେବଳ ଭର୍ଚୁଆଲ ରାଲିରେ ଧାମନଗରବାସୀଙ୍କୁ ସମ୍ବୋଧନ କରିଥିଲେ ।

କାରଣ ନମ୍ବର-୪: ଭାବପ୍ରବଣତାର ଭୋଟ୍

ଦିଗଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ଏକ ଭାବପ୍ରବଣତାର ମାହୋଲ ସୃଷ୍ଟି କରିଥିଲା । ଯେଉଁ ଭାବପ୍ରବଣତା, ସୁରଜ ସୂର୍ଯ୍ୟବଂଶୀଙ୍କ ପାଇଁ ବରଦାନ ଭଳି କାମ କରିଥିଲା । ସେମିତିରେ ମୈଦାନରେ ଥିବା ସମସ୍ତ ପ୍ରାର୍ଥୀଙ୍କଠାରୁ ସୁରଜ ଅଧିକ ଶିକ୍ଷତ ଥିବା ବେଳେ ରାଜନୀତିର କୌଶଳ ତାଙ୍କ ପ୍ରଚାରରେ ବେଶ ଦେଖିବାକୁ ମିଳିଥିଲା । ତେବେ ନିର୍ବାଚନର ଏହି ଜୟ-ପରାଜୟ ଭିତରେ ଧାମନଗର ଫଳାଫଳ ଆସନ୍ତା ଦିନରେ ହେବାକୁ ଥିବା ପଦ୍ମପୁର ଉପ-ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଉଭୟ ବିଜେଡି ଓ ବିଜେପି ପାଇଁ ଏକ ବଡ଼ ବାର୍ତ୍ତା ଦେଇଛି ।