୨୦୨୪ ପୂର୍ବରୁ ବିଜେଡି ପାଇଁ ବଢ଼ିଲା ଚ୍ୟାଲେଞ୍ଜ । ପଦ୍ମପୁର ଉପ-ନିର୍ବଚନ ଉପରେ ପଡ଼ିପାରେ ଧାମନଗର ପ୍ରଭାବ । ବିଜୟର ସ୍ୱପ୍ନ ଦେଖିଲା ବିଜେପି

201

କନକ ବ୍ୟୁରୋ: ଧାମନଗର ଉପ ନିର୍ବାଚନ ବିଜେପି ପାଇଁ ସଞ୍ଜୀବନୀ ହୋଇଥିବାବେଳେ ବିଜେଡି ପାଇଁ ଆତ୍ମଚିନ୍ତନ କରିବାର ସମୟ ଆଣିଦେଇଛି । ଆଗକୁ ପଦ୍ମପୁର ଉପନିର୍ବାଚନ, ଏଥିପାଇଁ ବିରୋଧୀ ବିଜେପିର ମନୋବଳ ବଢିଛି କିନ୍ତୁ ବିଜେଡି ପାଇଁ ନୂଆ ରଣନୀତି ଆଣିବାର ସମୟ ଆସିଛି । ୨୪ ପାଇଁ ଚ୍ୟାଲେଞ୍ଜ ବଢିଛି । ରାଜ୍ୟ କଂଗ୍ରେସ ନେତୃତ୍ୱ ପାଇଁ ଚିନ୍ତା କରିବାର ସମୟ ବି ଆସିଛି ।

ଧାମନଗରରେ ବିଜେଡିର ରଣନୀତି ଫେଲ ମାରିଛି । ବିଜେଡିର ସବୁ ଅଙ୍କ ଫେଲ ହେବା ପରେ ଏବେ ପଦ୍ମପୁର ଉପ ନିର୍ବାଚନ ଓ ୨୦୨୪ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ବିରୋଧୀ ବିଜେପିକୁ ନୂଆ ବଳ ମିଳିଥିବାବେଳେ ଭୋଟର ବିଜେଡିକୁ କଡା ସଙ୍କେତ ଦେଇଛନ୍ତି । ତେବେ ଧାମନଗରରେ ବିଜେପି ବିଜୟବାନା ଉଡାଇବା ପରେ ପଦ୍ମ ଶିବିରରେ ଖୁସିର ଲହରୀ ଖେଳିଯାଇଛି । ଧାମନଗର ଉପନିର୍ବାଚନରେ ବିଜେଡିର ବିଜୟରଥକୁ ଅଟକାଇଛି ବିଜେପି । କୁହାଯାଉଥିଲା, ବିଜେଡି ଏକ ମହାଶକ୍ତି ଓ ଏହି ଦଳକୁ ଉପନିର୍ବାଚନରେ ହରାଇବା ଅସମ୍ଭବ କିନ୍ତୁ ବିଜେଡିର ସବୁ ଅଙ୍କ ଗୋଳମାଳ ହୋଇଛି । ଏହି ଉପନିର୍ବାଚନ ଏକ ବଡ ସଙ୍କେତ ଦେଇଛି …

  • ପଦ୍ମପୁର ଲଢେଇ ପାଇଁ ବିଜେପିକୁ ନୂଆ ମନୋବଳ ମିଳିଛି
  • ୨୪ ପାଇଁ ବିଜେପିର ଆତ୍ମବିଶ୍ୱାସ ବଢିଛି
  • ନୂଆ ରଣନୀତି ସହ ୨୪ରେ ବିଜେଡିର ଯେ କଡା ମୁକାବିଲା କରାଯାଇପାରିବ ସେ ଧାରଣା ଦୃଢ ହୋଇଛି
  • ସଙ୍ଗଠନ ଅପେକ୍ଷା ପ୍ରାର୍ଥୀ ଚୟନ ଅଧିକ କାମ ଦେଇଛି
  • ତେଣୁ ଠିକ ପ୍ରାର୍ଥୀ ଚୟନ ହେଲେ ବିଜୟ ଆଶା ଅଧିକ ବୋଲି ଏକ ସନ୍ଦେଶ ମିଳିଛି

ଧାମନଗର ଉପନିର୍ବାଚନ ବିଜେଡିର ବିଜୟ ଧାରାରେ ବ୍ରେକ ଲଗାଇଛି । ବିଜେଡିର ମହିଳା କାର୍ଡ କାମ ଦେଇନି । ତେଣୁ ଧାମନଗର ଫଳାଫଳ ବିଜେଡିକୁ ପଦ୍ମପୁର ଓ ୨୦୨୪ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ବାଧ୍ୟ କରିବ ବୋଲି ଆଲୋଚନା ହେଉଛି । ତେବେ ଧାମନଗର ଫଳାଫଳ ଏହା ପ୍ରମାଣିତ କରିଛି ଯେ, ଏଠାରେ ବିଜେଡିର ପ୍ରଭାବ ସେଭଳି ନାହିଁ । ବିଜେଡିର ପ୍ରାର୍ଥୀ ଓ ସଙ୍ଗଠନ ଆଗରେ ବିଜେଡି ଦୁର୍ବଳ ରହିଛି । କୁହାଯାଇଥିଲା, ବିଜେଡି ଯାହାକୁ ପ୍ରାର୍ଥୀ କଲେ ବି ତାର ବିଜୟ ସୁନିଶ୍ଚିତ, ସେଭଳି ଏକ ଧାରଣାରେ ବ୍ରେକ ଲାଗିଛି ।

  • ପଦ୍ମପୁର ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ବାଧ୍ୟ ହେବ ବିଜେଡି
  • ବିଦ୍ରୋହୀଙ୍କୁ ଅଣଦେଖା କରିବା ବି ଠିକ ହେବ ନାହିଁ
  • ସ୍ଥାନୀୟ ନେତାଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ
  • ୨୦୨୪ ପାଇଁ ଅଧିକ ପ୍ରସ୍ତୁତିର ଆବଶ୍ୟକତା ବି ରହିଛି

ଅନ୍ୟପଟେ ଧାମନଗର ଉପ ନିର୍ବାଚନ ବିରୋଧୀ ବିଜେପି ପାଇଁ ସଂଜୀବନୀ ହୋଇଥିବାବେଳେ କଂଗ୍ରେସ ପାଇଁ କିନ୍ତୁ ନିରୁତ୍ସାହଜନକ ହୋଇଛି । ନୂଆ ନେତୃତ୍ୱ ସତ୍ତେ୍ୱ ଭଲ ପ୍ରଦର୍ଶନ କରିପାରିନାହିଁ ରାଜ୍ୟ କଂଗ୍ରେସ । ଯାହା ପିସିସି ମୁଖିଆଙ୍କ ନିଶ୍ଚିତ ଭାବେ ଚ୍ୟାଲେଞ୍ଜ ହୋଇଛି ।