ଗୋପ ଓ ଅସ୍ତରଙ୍ଗ ମାଟି ତଳେ ଅଛି କି ପ୍ରାକୃତିକ ଗ୍ୟାସର ଗୁପ୍ତ ଭଣ୍ଡାର? ସଂକେତ ମିଳିବା ପରେ ଡ୍ରିଲିଂ ପାଇଁ ଅଏଲ ଇଣ୍ଡିଆକୁ ଅନୁମତି । 

459

କନକ ବ୍ୟୁରୋ :ଓଡ଼ିଶାରେ ପ୍ରଥମ ଥର ପାଇଁ ମିଳିପାରେ ପ୍ରାକୃତିକ ଗ୍ୟାସର ଭଣ୍ଡାର! ପୁରୀ ଜିଲ୍ଲାର ଗୋପ ଓ ଅସ୍ତରଙ୍ଗ ଅଂଚଳରେ ପ୍ରାକୃତିକ ଗ୍ୟାସ ଥିବାର ସଙ୍କେତ ମିଳିଛି । ଅଏଲ ଇଣ୍ଡିଆ ପକ୍ଷରୁ ଓଡ଼ିଶାର ୧୧ଟି ଜିଲ୍ଲାରେ ଅନ୍ୱେଷଣ ପରେ ଏଭଳି ସଂକେତ ମିଳିଛି । ତେବେ ଏକ୍ସପ୍ଲୋରେସନ୍ ଡ୍ରିଲିଂ ପରେ ଏଠାରେ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ଅଛି କି ନାହିଁ ତାହା କିଛି ମାସ ମଧ୍ୟରେ ସ୍ପଷ୍ଟ ହୋଇଯିବ । ଏହି ଖବର ଜାଣିବା ପରେ ଗୋପ ଅଂଚଳର ଲୋକେ ଉତ୍ସାହିତ ହୋଇପଡ଼ିଛନ୍ତି ।

ଗୋପ ବ୍ଲକର ଚିତ୍ରା ଓ କୁସୁପୁର ଅଂଚଳ । ଏଠାରେ ପ୍ରାକୃତିକ ଗ୍ୟାସ ଅଛିକି ନାହିଁ ତାହା ଜାଣିବା ପାଇଁ ପ୍ରାୟ ବର୍ଷେ ତଳେ ସର୍ଭେ କରାଯାଇଥିଲା । ସିସମିକ ଏକ୍ସପ୍ଲୋରେସନ୍ ବା ଭୂକମ୍ପ ଅନ୍ୱେଷଣ ଜରିଆରେ ଛୋଟ ଛୋଟ ବ୍ଲାଷ୍ଟ ଓ ଡ୍ରିଲିଂ କରି ପ୍ରାଥମିକ ଭାବେ ଏଠାରେ ତୈଳ ଓ ଗ୍ୟାସ ଅଛିକି ନାହିଁ ତାର ଅନ୍ୱେଷଣ କରିଥିଲା ଅଏଲ ଇଣ୍ଡିଆ । ଓଡ଼ିଶାର ୧୧ଟି ଜିଲ୍ଲାରେ ଅନ୍ୱେଷଣ ପରେ ପୁରୀ ଜିଲ୍ଳାର ଗୋପ ଓ ଅସ୍ତରଙ୍ଗ ଅଂଚଳର ୩ଟି ସ୍ଥାନରେ ପ୍ରାକୃତିକ ଗ୍ୟାସ ଥିବାର ସଙ୍କେତ ମିଳିଛି ।

ଭାରତ ତାର ଆବଶ୍ୟକତାର ପ୍ରାୟ ୮୨ ପ୍ରତିିଶତ ଅଶୋଧିତ ତୈଳ ବିଦେଶରୁ ଆମଦାନୀ କରୁଥିବା ବେଳେ ୪୫ ପ୍ରତିଶତ ପ୍ରାକୃତିକ ଗ୍ୟାସ ଆମଦାନୀ କରୁଛି । ଭାରତର ଆସାମ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର କେତେକ ବେସିନରେ ପ୍ରାକୃତିକ ଗ୍ୟାସ ମିଳୁଛି । ଓଡ଼ିଶାର ମହାନଦୀ ବେସିନରୁ ଯଦି ପ୍ରାକୃତିକ ଗ୍ୟାସ ମିଳେ ତେବେ ଏହା ହେବ ଏକ ବଡ଼ ଆଶୀର୍ବାଦ । ଗୋପ ଓ ଅସ୍ତରଙ୍ଗର ତିନିଟି ଡ୍ରିଲିଂ ପଏଂଟରେ ଏବେ ଏକ୍ସପ୍ଲୋରେସନ୍ ଡ୍ରିଲିଂ କରିବ ଅଏଲ ଇଣ୍ଡିଆ । ଏଥିପାଇଁ  ଅଏଲ ଇଣ୍ଡିଆକୁ ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ପେଟ୍ରୋଲିୟମ୍ ଏକ୍ସପ୍ଲୋରେସନ୍ ଲାଇସେନସ ମିଳିଯାଇଛି । ତିନିଟି ପଏଂଟରେ ୮ ଏକର ଲେଖାଏଁ ଜମିରେ ପର୍ଯ୍ୟାୟକ୍ରମେ ଡ୍ରିଲିଂ କରାଯିବ ଓ ଏଥିପାଇଁ ସଂପୃକ୍ତ ଜମି ମାଲିକଙ୍କ ସହ ଚୁକ୍ତି କରିବ ଅଏଲ ଇଣ୍ଡିଆ । ଯଦି ଗୋପ ଓ ଅସ୍ତରଙ୍ଗରେ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ମିଳେ ତେବେ ଏହା ଅର୍ଥନୀତିରେ ବଡ଼ ପରିବର୍ତନ ଆଣିବ ବୋଲି ଆଶା କରାଯାଉଛି ।