ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ, ବିରୋଧୀ ବିଧାୟକଙ୍କୁ କିଣିବାକୁ ସରକାରୀ ସଂସ୍ଥାର ଅପବ୍ୟବହାର କରୁଛି ବିଜେପି

149

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରେ ଏବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବିଜେପି ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ ବିଜେପିକୁ ସମାଲୋଚନା କରିବା ଆଳରେ କହିଛନ୍ତି କି ବିରୋଧୀ ବିଧାୟକଙ୍କୁ କିଣିବା ପାଇଁ ବିଜେପି ନେତାମାନେ ଟଙ୍କା ବ୍ୟାଗ ଧରି ବୁଲୁଛନ୍ତି । ଏହାକୁ ସହଜରେ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ଛତିଶଗଡ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି କି, ବିଜେପି ବିରୋଧୀ ଦଳର ବିଧାୟକଙ୍କୁ କିଣିବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରୁଛି । ଏଭଳି କରି ବିଭିନ୍ନ ରାଜ୍ୟରେ ଥିବା ବିରୋଧୀଦଳମାନଙ୍କ ସରକାରରେ ଅସ୍ଥିରତା ସୃଷ୍ଟି କରି ବିଜେପି ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା କଥା ସେ ଅଭିଯୋଗ କରିଛନ୍ତି । ବିଜେପି ବିରୋଧୀଦଳମାନଙ୍କ ସରକାରକୁ ଭାଙ୍ଗିବା ପାଇଁ କ୍ଷମତା ଓ ଅର୍ଥ ଉଭୟର ବ୍ୟବହାର କରୁଥିବା କଥା ବାଘେଲ ଅଭିଯୋଗ କରିଛନ୍ତି ।

ବାଘେଲ କହିଛନ୍ତି କି ବିଜେପି ବିରୋଧୀଦଳ ସରକାରମାନଙ୍କୁ ଇଡି ଓ ଆୟକର ବିଭାଗର ଭୟ ଦେଖାଇ ଭୟଭିତ କରୁଛି । ଏହି ଜାତୀୟ ଏଜେନ୍ସିଗୁଡିକର ଅପବ୍ୟବହାର କରି ବିଭିନ୍ନ ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରୁଛି । ଏହାସହ କେନ୍ଦ୍ର ସରକାର କେବଳ ଭାବପ୍ରବଣ ଭାବେ ଲୋକଙ୍କୁ ଶୋଷଣ କରୁଥିବା କଥା ସେ ଅଭିଯୋଗ କରିଛନ୍ତି । ଝାଡଖଣ୍ଡରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ପରିପେକ୍ଷୀରେ ବାଘେଲ ଏଭଳି ଅଭିଯୋଗ ଆଣିଛନ୍ତି ।