ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ରିପୋର୍ଟକୁ ନେଇ ସରକାରଙ୍କୁ ଘେରିଲା ବିଜେପି । କହିଲା, ସାର୍ବଜନୀନ କରାଯାଉ ତଦନ୍ତ ରିପୋର୍ଟ

183

କନକ ବ୍ୟୁରୋ : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ତଦନ୍ତ କମିଶନଙ୍କ ରିପୋର୍ଟକୁ କାହିଁକି ସାର୍ବଜନୀନ କରୁ ନାହାଁନ୍ତି ରାଜ୍ୟ ସରକାର ବୋଲି ପ୍ରଶ୍ନ ଉଠାଇଛି ବିଜେପି । ତଦନ୍ତ ରିପୋର୍ଟକୁ ବିଧାନସଭାରେ କାହିଁକି ଉପସ୍ଥାପନ କରାଯାଉନାହିଁ? ଏଥିରେ ରାଜ୍ୟ ସରକାରଙ୍କ କ’ଣ ବ୍ୟାକ୍ ଡୋର୍ ଏଜେଣ୍ଡା ରହିଛି କି ବୋଲି ଦଳ ପ୍ରଶ୍ନ କରିଛି । ଏହା ସହ ତୁରନ୍ତ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଉ ବୋଲି ଦାବି କରିଛନ୍ତି ରାଜ୍ୟ ବିଜେପି ଉପ-ସଭାପତି ବିରଂଚି ନାରାୟଣ ତ୍ରିପାଠୀ ।

କାହାକୁ ସୁରକ୍ଷା ଦେବା ପାଇଁ ସରକାର ତଥ୍ୟ ଲୁଚାଇବାକୁ ଉଦ୍ୟମ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପଟେ ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦବାହିନୀ କହିଛନ୍ତି- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ସମୟରେ ବିଜେଡି-ବିଜେପି ମିଳିତ ସରକାର ଥିଲା । ତେବେ ତଦନ୍ତ ରିପୋର୍ଟରେ କ’ଣ ଅଛି, ତାହା ଜାଣିବାର ସମସ୍ତଙ୍କର ଅଧିକାର ଅଛି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦବାହିନୀପତି କହିଛନ୍ତି ।