ଅଲଗା ଅଲଗା ବିଜୁ ଜୟନ୍ତୀ ପାଳନ କଲେ ବିଜେଡି ନେତା ଓ କର୍ମୀ। ପୁରୀ ଓ ଦିଗପହଣ୍ଡିରେ ଦେଖିବାକୁ ମିଳିଲା ଦଳୀୟ କନ୍ଦଳ ଚିତ୍ର।

88

କନକ ବ୍ୟୁରୋ: ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ । ଦୁଇ ଭାଗ ହେଲା ପୁରୀ ବିଜେଡି । ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀରେ ୨ଗୋଷ୍ଠୀ ବଡ଼ ଦାଣ୍ଡରେ ଦେଖାଇଛନ୍ତି ନିଜର ଶକ୍ତି ପ୍ରଦର୍ଶନ । ବଡ଼ଦାଣ୍ଡରେ ଦେଖିବାକୁ ମିିଳିଥିଲା ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଜି୍ଲା ସଭାପତି ମହେଶ୍ୱର ମହାନ୍ତି ଓ ରାଜ୍ୟ ବିଜୁ ଯୁବଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ପୃଥକ ଶୋଭାଯାତ୍ରା ।

ମହେଶ୍ୱରଙ୍କ ଶୋଭାଯାତ୍ରା ବିଜେଡି କାର୍ଯ୍ୟାଳୟରୁ ଯାଇଥିବା ବେଳେ ଶୁଭାଶିଷଙ୍କ ଶୋଭାଯାତ୍ରା ଗୋପବନ୍ଧୁଙ୍କ ଆର୍ୟୁବେଦିକ ଭବନ ନିକଟରୁ ଯାଇଥିଲା । ଗତ କିଛି ଦିନ ହେଲା ୨ଗୋଷ୍ଠୀ ମଧ୍ୟରେ ଏଭଳି ଟକ୍କର ଚାଲିଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନରେ କିଏ ପୁରୀ ବିଜେଡିର ମଙ୍ଗ ଧରିବ ତାକୁ ନେଇ ଚର୍ଚ୍ଚା ଚାଲିଛି । ଏପଟେ ପୌର ଓ ସାଧାରଣ ନିର୍ବାଚନ ପୂର୍ବରୁ ଶୁଭାଶିଷ ଏଭଳି ଶକ୍ତି ପ୍ରଦର୍ଶନ କରି ମହେଶ୍ୱରଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ସେପଟେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡିରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ବିଜୁ ବାବୁଙ୍କ ଜନ୍ମଜୟନ୍ତୀରେ ଦିଗପହଣ୍ଡିରେ ବିଜେଡି ତରଫରୁ ପୃଥକ ପୃଥକ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଛି । ବିଜୁ ଜୟନ୍ତୀ ପାଳନକୁ ନେଇ ସୂର୍ଯ୍ୟପାତ୍ରଙ୍କ ସାନ ପୁଅ ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ଓ ବର୍ତମାନ ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ ସାମ୍ନାସାମ୍ନି ହୋଇଛନ୍ତି । ସାମନ୍ତରାଳ ଭାବେ ବିଜୁ ଜୟନ୍ତୀ ପାଳନକୁ ନେଇ ଦୁଇ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ସାମ୍ନାକୁ ଆସିଛି । ୨ ଶହ ମିଟର ଦୂରତାରେ ୨ ଗୋଷ୍ଠୀ କାର୍ଯ୍ୟକ୍ରମ କରୁଥିବା ବେଳେ ରାଜନୈତିକ କାଦୁଅ ପରସ୍ପରକୁ ଫୋପାଡ଼ିବା ନଜର ଆସିଛି । ବିପିନ ସମର୍ଥିତ ଗୋଷ୍ଠୀ ପାଞ୍ଚ ଶହରୁ ଅଧିକ ବାଇକ୍ ରାଲି କରି ପଥ ପାଶ୍ୱର୍ ଠାରୁ ବାହାରି ଦିଗପହଣ୍ଡି ନଗର ପରିକ୍ରମା କରି ପୁଞ୍ଜିକାୟାଁ ଛକ ଠାରେ ପହଞ୍ଚି ବିଜୁ ବାବୁଙ୍କ ପ୍ରତିମୂତିରେ ପୁଷ୍ପମାଲ ଦେଇ ଏକ ସଭାର ଆୟୋଜନ କରିଥିଲେ । ଅପର ପକ୍ଷରେ ବିପ୍ଳବ ସମର୍ଥିତ ଗୋଷ୍ଠୀ ଅତି ନିକଟ ଦୂରରେ ପୁଣି ଏକ ସଭାର ଆୟୋଜନ କରି ଉଭୟ ଉଭୟଙ୍କ ଉପରକୁ ଦୋଷାରୋପ କରି କାର୍ଯ୍ୟକ୍ରମ ଆଗକୁ ବଢ଼ାଇଥିଲେ ।