ଲୋକସଭା ପରେ ରାଜ୍ୟସଭାରେ ବି ପାରିତ ହେଲା ପଛୁଆ ବର୍ଗ ସଂରକ୍ଷଣ ସଂଶୋଧନ ବିଧେୟକ, ଏବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀକୁ ଅପେକ୍ଷା

597

କନକ ବ୍ୟୁରୋ : ଲୋକସଭା ପରେ ଆଜି ରାଜ୍ୟ ସଭାରେ ପଛୁଆ ବର୍ଗ ସଂରକ୍ଷଣ ବିଧେୟକ ପାରିତ ହୋଇଛି । ଏନେଇ ଦୀର୍ଘ ସମୟର ତର୍କ ବିତର୍କ ପରେ ଏହି ବିଲ ପାରିତ ହୋଇଛି । ରାଜ୍ୟସଭାରେ ଏହି ବିଲ ସପକ୍ଷରେ ୧୮୭ ଟି ଭୋଟ ପଡିଥିଲା । ଏବେ ଏହି ବିଲ ମଞ୍ଜୁରୀ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ ।

ବୁଧବାର ଦିନ କେନ୍ଦ୍ରୀୟ ସାମାଜିକ ନ୍ୟାୟ ମନ୍ତ୍ରୀ ବିରେନ୍ଦ୍ର କୁମାର ରାଜ୍ୟସଭାରେ ଏହି ବିଲ ଉପସ୍ଥାପନ କରିଥିଲେ । ସେ କହିଥିଲେ କି ସମ୍ବିଧାନ ସଂଶୋଧନ ରାଜ୍ୟମାନଙ୍କୁ ଓବିସି ସୂଚୀ ପ୍ରସ୍ତୁତ କରିବାକୁ ଅଧିକାର ଦେବା ପାଇଁ ଅଣାଯାଇଛି । ସେ କହିଥିଲେ କି ଓବିସି ସୂଚୀ ପ୍ରସ୍ତୁତ କରିବା ଅଧିକାର ଯଦି ରାଜ୍ୟମାନଙ୍କ ଠାରୁ ଛଡାଇ ଅଣାଯିବ ତେବେ ପାଖା ପାଖି ୬୩୧ ଟି ଜାତିର ଲୋକ ଶିକ୍ଷଣୀୟ ସଂସ୍ଥାନ ଓ ନିଯୁକ୍ତିରେ ସଂରକ୍ଷଣର ଲାଭ ପାଇବାରୁ ବଞ୍ଚିତ ହେବେ ।

ଏନେଇ ଚର୍ଚ୍ଚା ଆରମ୍ଭ ହେବାରୁ ପ୍ରଥମେ କଂଗ୍ରେସର ବରିଷ୍ଠ ନେତା ଅଭିଷେକମନୁ ସଂଘଭୀ ପକ୍ଷ ରଖିଥିଲେ । ସେ କହିଥିଲେ କି ସଂଶୋଧନ ପ୍ରସ୍ତାବ ଆଣି ସରକାର ତାଙ୍କର ପୂର୍ବ ଭୁଲକୁ ସୁଧାରିବାକୁ ଚାହୁଁଛନ୍ତି । ଏହାସହ ଏହି ବିଲରେ ୫୦ ପ୍ରତିଶତ ସଂରକ୍ଷଣ ନେଇ କିଛି ପ୍ରସ୍ତାବ ନଥିବା କଥା ସେ ଅଭିଯୋଗ କରିଥିଲେ ।

କହିରଖୁ କି ଗତକାଲି ଲୋକସଭାରେ ଏହି ବିଲକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମଳିଥିଲା । ହେଲେ ହଟ୍ଟଗୋଳ ଭିତରେ ଏହି ବିଲକୁ ପାରିତ କରିଥିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ।