ବିଜେପୁରରେ ବାଜି ମାରିନେଲା ବିଜେଡି । ଇତିହାସ ରଚିଲେ ରୀତା, ୯୭ ହଜାର ୯୯୪ ଖଣ୍ଡ ଭୋଟ ବ୍ୟବଧାନରେ ବିରୋଧୀଙ୍କୁ କଚାଡ଼ି ଦେଲେ ।

621

କନକ ବ୍ୟୁରୋ: ବିଜେପୁର ବାଜି ମାରିଲେ ରୀତା ସାହୁ । ଓଡ଼ିଶା ରାଜନୀତିରେ ପୂର୍ବରୁ ହୋଇଥିବା ସବୁ ବିଧାନସଭା ନିର୍ବାଚନର ଭୋଟ୍ ବ୍ୟବଧାନ ରେକର୍ଡ ଭାଙ୍ଗି ବିଜୟୀ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ । ଉଭୟ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ୯୭ ହଜାର ୯୯୪ ରେକର୍ଡ ଭୋଟ୍ ବ୍ୟବଧାନରେ ବିଜୟ ହୋଇଛନ୍ତି ରୀତା । 

ସବୁଠାରୁ ବଡ଼ କଥା ହେଲା କି, ବିଜେଡିର ହ୍ୟାଟ୍ରିକ୍ ବିଜେପୁର ବିଜୟ ହୋଇଥିବାବେଳେ , ଦ୍ୱିତୀୟ ଥର ପାଇଁ ରୀତା ବିଜେପୁର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ମୋଟ୍ ୨୧ ରାଉଣ୍ଡ ଭୋଟ୍ ଗଣତି ପରେ ବିରୋଧୀଙ୍କୁ ମାଟି କାମୁଡାଇ ବିଜୟ ଆଡକୁ ବାଟ କାଢ଼ିଥିଲା ବିଜେଡି । ଆଉ ପ୍ରଥମ ରାଉଣ୍ଡରୁ ଆରମ୍ଭ କରି ଶେଷ ରାଉଣ୍ଡ ଭୋଟ୍ ଗଣତି ପର୍ଯ୍ୟନ୍ତ ରୀତାଙ୍କ ଉପରେ ଅଜାଡି ହୋଇପଡ଼ିଲା ବିଜେପୁରବାସୀଙ୍କ ଆଶୀର୍ବାଦ । ତେଣୁ ମୋଟ୍ ୧ ଲକ୍ଷ ୩୫ ହଜାର ୯୪୯ ଖଣ୍ଡ ଭୋଟ୍ ପାଇଛନ୍ତି ରୀତା ।

ସେହିପରି ୩୭ ହଜାର ୯୫୫ ଖଣ୍ଡ ଭୋଟ୍ ପାଇ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ  ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆଉ ପୂର୍ବପରି କଂଗ୍ରେସ ‘ହାତ’ ବିଜେପୁରରେ ଖାଲି ପଡ଼ିଥିବା ଦେଖିବାକୁ ମିଳିଛି । କାରଣ କଂଗ୍ରେସର ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ମାତ୍ର ୫ ହାଜର ୮୭୧ ଖଣ୍ଡ ଭୋଟ୍ ମିଳିଛି । ସେହିପରି ନୋଟାକୁ ୧ ହଜାର ୯୮୨ ଖଣ୍ଡ ଭୋଟ୍ ଯାଇଥିବାବେଳେ ସ୍ୱାଧିନ ପ୍ରାର୍ଥୀଙ୍କ ଖାତାକୁ ୧ ହଜାର ୫୩ ଖଣ୍ଡ ଭୋଟ୍ ।