ବିଜେପୁରରେ ଉଡିଲା ବିଜେଡିର ବିଜୟ ବାନା । ଐତିହାସିକ ବିଜୟ ପାଇଁ ଫୋନ୍ ଯୋଗେ ରୀତାଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ, ରେକର୍ଡ ୯୭୯୯୪ ଭୋଟରେ ସନତଙ୍କୁ ମାତ୍ ଦେଲେ ରୀତା ।

1,423

କନକ ବ୍ୟୁରୋ : ବିଜେପୁରରେ ରୀତା ରାଜ । ପୁଣିଥରେ ବିଜେପୁର ନିଜ ଦଖଲରେ ରଖିଲା ବିଜେଡି । ଆଉ ଏହାସହ ଗତ ଦେଢ ବର୍ଷ ମଧ୍ୟରେ ଏହି ଆସନରେ ହ୍ୟାଟ୍ରିକ ବିଜୟ ହାସଲ କରିଛି ବିଜେଡି । ବିଜେପୁରରେ ଐତିହାସିକ ବିଜୟ ସହ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି ରୀତା । ରାଜ୍ୟର ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ରୀତା । ୯୭୯୯୪ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍ ଦେଇ ପୁଣିଥରେ ବିଜେପୁରରେ ସବୁଜ ବାନା ଉଡାଇଛନ୍ତି ରୀତା ।

ଆଉ ଏହି ଐତିହାସିକ ବିଜୟ ପାଇଁ ରୀତା ସାହୁଙ୍କୁ ଫୋନଯୋଗେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଚଳିତ ଉପନିର୍ବାଚନରେ ଦଳୀୟ ସୁପ୍ରିମୋଙ୍କ ରେକର୍ଡ ଭାଙ୍ଗି ନିଜ ନାଁରେ ନୂଆ ରେକର୍ଡ କରିଛନ୍ତି ରୀତା । ଏହାପୂର୍ବରୁ ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୧୧୦୬୦୪ ଖଣ୍ଡ ଭୋଟ ପାଇଥିବା ବେଳେ ୫୭୧୨୨ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନତ ଗଡତିଆଙ୍କୁ ମାତ୍ ଦେଇଥିଲେ । କିନ୍ତୁ ରୀତା ୧ ଲକ୍ଷ ୩୫ ହଜାର ୯୪୯ ଭୋଟ ପାଇବା ସହ ୯୭୯୯୪ ଭୋଟ ବ୍ୟବଧାନରେ ସନତଙ୍କୁ ମାତ୍ ଦେଇ ନୂଆ ରେକର୍ଡ କରିଛନ୍ତି ।

ଏହାସହ ରୀତା ଆଉ ଏକ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ରାଜ୍ୟର ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ରୀତା । ଏହାପୂର୍ବରୁ ଚଳିତ ବିଧାନସଭା ନିର୍ବାଚନରେ ସର୍ବାଧିକ ଭୋଟରେ ବିଜୟୀ ହୋଇଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡାରେ ୮୧୪୩୦ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍ ଦେଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ସବୁଠୁ ବଡ କଥା ହେଲା, ୨୦୧୮ ଉପନିର୍ବାଚନ ତୁଳନାରେ ଢେର ଅଧିକ ଭୋଟ ହାତେଇଛନ୍ତି ରୀତା ।