ଦକ୍ଷିଣଆଫ୍ରିକାରେ ବିରୁଷ୍କା ପାଳିବେ ନୂଆବର୍ଷ । ଦିଲ୍ଲୀରେ ସରିଲା ଗ୍ରାଣ୍ଡ ରିସେପସନ । ୨୬ରେ ଦ୍ୱିତୀୟ ରିସେପସନ ମୁମ୍ବାଇରେ

38

ଇଣ୍ଡିଆ ଟିମ ଅଧିନାୟମ ବିରାଟ କୋହଲୀ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ୧୧ ଡିସେମ୍ବରରେ ଇଟାଲୀର ଟକ୍ସନୀ ଠାରେ ବିବାହ କରିଥିଲେ । ନିଜ ପରିବାର ୫୦ ଜଣ ଲୋକଙ୍କୁ ନେଇ ବିବାହ ସଂପୂର୍ଣ୍ଣ ହୋଇଥିଲା । ଏହା ପରେ ବିରୁଷ୍କା ଦୁଇଟି ରିସେପସନ ପାର୍ଟିର ଆୟୋଜନ କରିଛନ୍ତି । ଗତକାଲି ଦିଲ୍ଲୀରେ ତାଜ ଡିପ୍ଲୋମେଟିକ ଏନକ୍ଳେଭରେ ପ୍ରଥମ ରିସେପସନ ପାର୍ଟି ମହାଆଡମ୍ବରରେ ଶେଷ ହୋଇଛି । ୧୦୦୦ରୁ ଅଧିକ ଅତିଥି ଏଥିରେ ଯୋଗଦେଇଥିଲେ । ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ବିରୁଷ୍କାଙ୍କ ନିମନ୍ତ୍ରଣ ଗ୍ରହଣ କରି ନବଦମ୍ପତିଙ୍କୁ ଆଶୀବାର୍ଦ ଦେବାକୁ ପହଂଚିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଅନେକ ରାଜନେତା ଏହି ପାର୍ଟିରେ ଯୋଗ ଦେଇଥିଲେ । କ୍ରିକେଟରଙ୍କ ମଧ୍ୟରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ଯୁବରାଜ ସିଂ, ଶିଖର ଧାୱନ, ସୁରେଶ ରାଇନା, ଗୌତମ ଗମ୍ଭୀର ପ୍ରମୁଖ ଉପସ୍ଥିତ ଥିଲେ । ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଲା ଓ ବିସିସିଆଇ ବରିଷ୍ଠ ଅଧିକାରୀ ସିକେ ଖାନ୍ନା ଯୋଗ ମଧ୍ୟ ଦେଇଥିଲେ । ଆସନ୍ତା ୨୬ ତାରିଖରେ ବିରୁଷ୍କାଙ୍କ ଦ୍ୱିତୀୟ ରିସେପସନ ମୁମ୍ବାଇରେ ରହିଛି । ଏଥିରେ ବଲିଉଡର ଅନେକ ତାରକାଙ୍କ ସମେତ ଟିମ ଇଣ୍ଡିଆର ସମସ୍ତ ଖେଳାଳି ଯୋଗଦେବେ ।

ଏହାପରେ ଏକ ପୂର୍ଣ୍ଣାଙ୍ଗ ସିରିଜ ଖେଳିବା ପାଇଁ ଟିମ ଇଣ୍ଡିଆ ସହ ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ଗସ୍ତ କରିବେ । କୋହଲିଙ୍କ ସହ ପତ୍ନୀ ଅନୁଷ୍କା ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ ବୋଲି ଶୁଣାଯାଉଛି । ଉଭୟ ନୂତନ ବର୍ଷ ସେଠାରେ ପାଳନ କରିବାର କାର୍ଯ୍ୟକ୍ରମ ରହିଛି ।