ରଙ୍ଗୀଲା ବାବୁଙ୍କ ଜନ୍ମଦିନ ! ଭାଇରାଲ୍ ହେଲା ମହିଳା କର୍ମଚାରୀଙ୍କୁ କେକ୍ ଖୁଆଇବା ଭିଡିଓ

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନିଜ ଜନ୍ମଦିନରେ କେକ୍ କାଟି ଅଡୁଆରେ ଅଫିସର । ସରକାରୀ କାର୍ଯ୍ୟାଳୟରେ ଜନ୍ମଦିନ କେକ୍ କାଟିବା ସହ ଖୁଆଇ ଦେଉଛନ୍ତି ସହକର୍ମୀଙ୍କୁ । ଜଣଙ୍କ ପରେ ଜଣେ ମହିଳା କର୍ମଚାରୀଙ୍କ ପାଖକୁ ଯାଇ ନିଜ ହାତରେ ଖୁଆଉଛନ୍ତି କେକ୍ । ଯିଏ ମନା କରୁଛନ୍ତି ତାଙ୍କୁ କରୁଛନ୍ତି ତାଗିଦ୍ । ଏମିତି ଭିଡିଓ ଭାଇରାଲ୍ ହେବା ପରେ ଏବେ ଅଡୁଆରେ ବାବୁ । ଗତ କିଛି ଦିନ ତଳେ ସରକାରୀ କାର୍ଯ୍ୟାଳୟରେ ଏମିତି ରଂଗୀନ ମିଜାଜରେ ବର୍ଥ ଡେ ପାଳିବା ମହଙ୍ଗା ପଡିଛି ଏହି ପ୍ରଶାସନିକ ଅଧିକାରୀଙ୍କ ପାଇଁ ।

ତେବେ ରଂଗୀଲା ଅଫିସରଙ୍କ ମିଜାଜକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତତ୍କାଳୀନ ଯୋଗାଣ ସଚିବ ମଧୁସୂଦନ ପାଢୀ । ଏହି ବାବୁ ଜଣକ ଜଣେ ମହିଳା ଅଫିସରଙ୍କୁ ମାନସିକ ନିର୍ଯାତନା ଦେଇଥିବାର ଅଭିଯୋଗ ମଧ୍ୟ ଆସିଛି । ଅଫିସରେ ମହିଳା କର୍ମଚାରୀଙ୍କୁ ନେଇ କେକ୍ କାଟୁଥିବାର ଦୃଶ୍ୟ ଅଫିସରଙ୍କ ବ୍ୟବହାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ଯୋଗାଣ ନିଗମ କର୍ମଚାରୀ ସଂଘ ଅଭିଯୋଗ କରିବା ପରେ ତତ୍କାଳୀନ ସଚିବ ମଧୁସୂଦନ ପାଢୀ ତୁରନ୍ତ ତାଙ୍କୁ ବଦଳି କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ସୁପାରିଶ କରିଛନ୍ତି ।

ବାବୁ କିନ୍ତୁ ଅଭିଯୋଗକୁ ମାନିବାକୁ ନାରାଜ । କହିଛନ୍ତି ନିଗମର କିଛି କର୍ମଚାରୀ ଜାଣିଶୁଣି ତାଙ୍କୁ ଫସାଇବାକୁ କରିଛନ୍ତି ଏମିତି ଉଦ୍ୟମ । ବିଭିନ୍ନ ଦୁର୍ନିତିରେ ଲିପ୍ତ କିଛି କର୍ମଚାରୀଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ନେବାରୁ ପ୍ରତିଶୋଧ ପରାୟଣ ହୋଇ ଏମିତି ଅଭିଯୋଗ ଆଣିଥିବା ସେ କହିଛନ୍ତି ।